ଆସିକା ସଂସଦୀୟ କ୍ଷେତ୍ରରେ କୃଷି ମହାବିଦ୍ୟାଳୟ ସ୍ଥାପନ ଦାବୀ
ଆସିକା (ୱାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାର ଦୁଇଟି ଲୋକସଭା ଆସନ ମଧ୍ୟରୁ ଆସିକା ସଂସଦୀୟ କ୍ଷେତ୍ର ସବୁବେଳେ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରିଆସୁଛି । ଆସିକା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଆସିକା, କବିସୂର୍ଯ୍ୟନଗର, ଖଲିକୋଟ, ସୋରଡା, ହିଞ୍ଜିଳିକାଟୁ, ପୋଲସରା, ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଅଞ୍ଚଳର ହଜାର ହଜାର ଜନତା କୃôଷିକାର୍ଯ୍ୟ ଉପରେ ପ୍ରାୟତଃ ନିର୍ଭରଶୀଳ । ଦେଶ ସ୍ୱାଧୀନତାର ୭୭ ବର୍ଷ ପରେ ବି କୃଷିପ୍ରଧାନ ଆସିକା ଲୋକସଭା କ୍ଷେତ୍ର ଅଧୀନସ୍ଥ ଅଞ୍ଚଳରେ ସରକାରୀ କୃଷି ମହାବିଦ୍ୟାଳୟଟିଏ ସ୍ଥାପନ କରିବା ସମ୍ଭବପର ହୋଇପାରିନାହିଁ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟସ୍ଥ ମାଣ୍ଡିଆପଲ୍ଲୀ ନିକଟରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ବହୁବର୍ଷ ତଳେ ପ୍ରତିଷ୍ଠା ହୋଇସାରିଛି । ସେହିପାଖରେ ସରକାରୀ ଅଞ୍ଚଳିକ କୃଷି ବୈଷୟିକ ଶିକ୍ଷା ଓ ତାଲିମ୍ ପ୍ରତିଷ୍ଠାନ ମଧ୍ୟ ରହିଛି । ସେଠାରେ ଚାଷୀମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନ ପାଇଁ ଉନ୍ନତମାନର କୃଷିକାର୍ଯ୍ୟ ସଂପର୍କରେ ସଚେତନ କରାଯାଉଛି । ଗୋଳନ୍ଥରା ନିକଟରେ ଧାନବିହନ ଉତ୍ପାଦ କେନ୍ଦ୍ର ଏବଂ ବ୍ରହ୍ମପୁର ଉପକଣ୍ଠସ୍ଥ ଆଙ୍କୁଶପୁର-ରତ୍ନପୁର ଗ୍ରାମ ନିକଟରେ ଧାନ ଗବେଷଣା କେନ୍ଦ୍ର ରହିଛି । ଆସିକା ସଂସଦୀୟ କ୍ଷେତ୍ର ଅଧୀନସ୍ଥ ଅଞ୍ଚଳରେ କୃଷି ମହାବିଦ୍ୟାଳୟ ସ୍ଥାପନ ପାଇଁ ଆବଶ୍ୟକୀୟ ସମସ୍ତ ଭିତ୍ତିଭୂମୀ ରହିଥିଲା ବେଳେ ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ତାହା ଅଦ୍ୟାବଧି ସମ୍ଭବପର ହୋଇପାରିନଥିଲା ବେଳେ ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ପଦକ୍ଷେପ ନେବାକୁ ଦୁର୍ନିତୀ ବିରୋଧରେ ଆମ ସଂଗଠନର ସଭାପତିି ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି । ଆସିକା ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ହଜାର ହଜାର ହେକ୍ଟର ଜମିରେ ପ୍ରତ୍ୟେକ ବର୍ଷ ଖରିଫ୍ ଓ ରବି ଧାନଚାଷ କରାଯାଉଛି । ଆସିକା ଲୋକସଭା କ୍ଷେତ୍ରର ସମୂଦାୟ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୫୦ରୁ ୬୦ ପ୍ରତିଶତ ଲୋକ କେବଳ ବିଭିନ୍ନ ଚାଷ ଉପରେ ନିର୍ଭର କରିଆସୁଛନ୍ତି । ଆସିକା ସଂସଦୀୟ କ୍ଷେତ୍ର ଅଧୀନସ୍ଥ ଅଞ୍ଚଳରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲେ ସେଠାରେ ଛାତ୍ରଛାତ୍ରୀମାନେ ପାଠ ପଢିବା ସାଙ୍ଗକୁ ଗବେଷଣା କରିବା ସହ ବୈଜ୍ଞାନିକ ପ୍ରଣାଳୀରେ ଉନ୍ନତମାନର ଚାଷ ପାଇଁ ଚାଷୀଙ୍କୁ ତାଲିମ୍ ଦେବା ସକାଶେ ସୁଯୋଗ ପାଇବେ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ଲୋକସଭା କ୍ଷେତ୍ର ଅଧୀନସ୍ଥ ବିଭିନ୍ନ ଅଞ୍ଚଳର ହଜାର ହଜାର କୃଷିଜୀବି ପରିବାର ଧାନ, ଆଖୁ, ମକା, ମୁଗ, ବିରି, ଚିନାବାଦାମ୍, ରାଶି ସମେତ ଅନ୍ୟାନ୍ୟ ଚାଷ ପରିବାର ପ୍ରତିପୋଶଣ କରିଆସୁଛନ୍ତି । ସେହିଭଳି ସମବାୟ ଚିନିଶିଳ୍ପ ପକ୍ଷରୁ ମଧ୍ୟ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା, ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀଙ୍କ ନେତୃତ୍ୱରେ ଆସିକା ସଂସଦୀୟ କ୍ଷେତ୍ର ଅଧୀନସ୍ଥ ଗଞ୍ଜାମ ଜିଲ୍ଲାର ଆସିକା, ଧରାକୋଟ, ଶେରଗଡ, ସାନଖେମୁଣ୍ଡି, ଦିଗପହଣ୍ଡି, ଭଂଜନଗର, ସୋରଡା, ବେଲଗୁଣ୍ଠା, ବୁଗୁଡା, ପୋଲସରା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ଖଲିକୋଟ, ହିଞ୍ଜିଳିକାଟୁ, ବେଗୁନିଆପଡା, ଜଗନ୍ନାଥପ୍ରସାଦ ଇତ୍ୟାଦି ଅଞ୍ଚଳରେ ଆଖୁଚାଷ ପାଇଁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କୃଷିଜୀବି ପରିବାରମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ସେମାନଙ୍କୁ କୃଷିକାର୍ଯ୍ୟ କରିବା ସକାଶେ ଅଧିକରୁ ଅଧିକ ତାଲିମ୍ ପ୍ରଦାନ କରିବା ଓ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢିବା ପାଇଁ ସୁଯୋଗ ଦେବା ପାଇଁ ଆସିକା ସଂସଦୀୟ କ୍ଷେତ୍ର ଅଧୀନସ୍ଥ ଅଞ୍ଚଳରେ ଏକ କୃଷି ମହାବିଦ୍ୟାଳୟ ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ ବିିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।