ଆସିକା ତହସିଲରେ ଖାଲି ପଡିଥିବା ପଦପଦବୀ ପୂରଣ ଦାବୀ

ଆସିକା  (ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅଧୀନରେ ପରିଚାଳିତ ହେଉଥିବା ଆସିକା ତହସିଲ କାର୍ଯ୍ୟାଳୟ ଓ କ୍ଷେତ୍ର କାର୍ଯ୍ୟାଳୟ ଗୁଡିକ ସାଧାରଣ ଲୋକଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଂପାଦନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । ଜମିଜମା କାମ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରାମାଣପତ୍ର ପ୍ରଦାନ କ୍ଷେତ୍ରରେ ଆସିକା ତହସିଲ କାର୍ଯ୍ୟାଳୟ ଓ ୯ଟି ରାଜସ୍ୱ ସର୍କଲ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନଙ୍କ ଭୂମିକା ରହିଛି । ସେହିପରି ଅନେକ ସମୟରେ ଅତିରିକ୍ତ କାର୍ଯ୍ୟାଳୟରେ ମଧ୍ୟ କ୍ଷେତ୍ର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥାଏ । ବନ୍ୟା, ବାତ୍ୟା, ମରୁଡି, ଘରପୋଡି ଠାରୁ ଆରମ୍ଭ କରି ଜନ୍ମ ଓ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପ୍ରକାର ସରଜମିନ୍‍ ତଦନ୍ତ ସମୟରେ କ୍ଷେତ୍ର କର୍ମଚାରୀ ହିଁ ନିରପେକ୍ଷ ତଦନ୍ତ କରି ବିଭାଗୀୟ ପଦାଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥାନ୍ତି । ଆସିକା ତହସିଲ କାର୍ଯ୍ୟାଳୟ ଅଧୀନରେ ଆସିକା, ବାବନପୁର, ନଳବଣ୍ଟା, ହରିଡାପଦର, ଭେଟନଇ, ଗହଙ୍ଗୁ, ଗୁଣ୍ଠପଡା, ନିମିନା, ବାଲିସିରା ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ରହିଥିଲା ବେଳେ ଦୀର୍ଘ ଦିନ ହେଲା ଗୋଟିଏ ରାଜସ୍ୱ ପରିଦର୍ଶକ, ୨ଟି ରାଜସ୍ୱ ନୀରିକ୍ଷକ ପଦବୀ ସାଙ୍ଗକୁ ୪ଟି ଅତିରିକ୍ତ ରାଜସ୍ୱ ନୀରିକ୍ଷକ ଓ ୫ଟି ଅମିନ ପଦବୀ ଖାଲି ପଡିଛି । ସେଗୁଡିକୁ ପୂରଣ କରିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେଉନଥିବା ଯୋଗୁଁ ବିଭିନ୍ନ ସମୟରେ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ନାନା ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ସେହିପରି ଆସିକା ରାଜସ୍ୱ ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଆସୁଥିବା କଳିଙ୍ଗରୋଡ ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ରାଜସ୍ୱ ବିଭାଗ ଡାକବଙ୍ଗଳାରେ ଦୀର୍ଘ ଦିନ ହେଲା ବଗିଚା ରକ୍ଷକ (ଗାର୍ଡେନର୍‍) ପଦବୀ ଖାଲି ଥିବା ଜଣାପଡିଛି । ଦୀର୍ଘ ଦିନ ହେଲା ଆସିକା ରାଜସ୍ୱ ବିଭାଗ କାର୍ଯ୍ୟାଳୟରେ କେତେକ କ୍ଷେତ୍ର କର୍ମଚାରୀ ପଦବୀ ଖାଲି ପଡିଥିବା ଯୋଗୁଁ ଅନେକ ସମୟରେ ସାଧାରଣ ଜନତା ରାଜସ୍ୱ ସେବା ପାଇବା ଓ କ୍ଷେତ୍ର ସ୍ଥଳରେ କାର୍ଯ୍ୟ ସଂପାଦନ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ଆଲୋଚିତ ହେଉଛି । ରାଜସ୍ୱ ସେବାକୁ ସୁଚାରୁ ରୂପେ ସଂପାଦନ କରିବାକୁ ହେଲେ ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଖାଲି ପଡିଥିବା ପଦବୀ ପୂରଣ ଦିଗରେ ଯତ୍ନବାନ୍‍ ହେବା ନିତାନ୍ତ ଆବଶ୍ୟକ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ