ମଞ୍ଜିରେ ଔଷଧୀୟ ଗୁଣ ଯୋଗୁଁ ଜାମୁକୋଳିର ଚାହିଦା ବୃଦ୍ଧି

ଆସିକା (ୱାଇଏନ୍‍ଏସ୍‍) ଆସିକା ଅଞ୍ଚଳରେ ଜାମୁକୋଳିର ଚାହିଦା ଓ ବିକ୍ରୀବଟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସହରର କେତେକ ରାସ୍ତାକଡରେ ଏହି ଋତୁକାଳୀନ ଫଳ ଜାମୁକୋଳି ବିକ୍ରୀ କରୁଥିବା ବେଳେ ଗ୍ରାହକମାନେ ଆବଶ୍ୟକତା ଅନୁଯାୟୀ ନିଜ ଶକ୍ତିମୁତାବକ କ୍ରୟ କରୁଥିବା ଦେଖିବାକୁ ମିଳୁଛି । ବଜାରରେ ମିଳୁଥିବା ବିଭିନ୍ନ ଫଳ ମଧ୍ୟରୁ ଜାମୁକୋଳି ଅନ୍ୟତମ । ଏହି ଋତୁକାଳୀନ ଫଳ ଜାମୁକୋଳି ଦେଖିବାକୁ ଯେତିକି ଆକର୍ଷଣୀୟ ଏହାର ଖଟାମିଠା ସ୍ୱାଦ ମଧ୍ୟ ଶରୀର ପାଇଁ ସେତିକି ଉପକାରୀ । ଏହି ଜାମୁକୋଳିିରୁ ମିଳୁଥିବା ମିନେରାଲ୍‍ ଶରୀର ପାଇଁ ଲାଭଦାୟ ହେବା ସହ ଅନେକ ପ୍ରକାର ରୋଗରୁ ରକ୍ଷା ଦେଇଥାଏ । ଜାମୁକୋଳି ଭଳି ତାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ବେଶ୍‍ ଉପଯୋଗୀ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ରକ୍ତଚାପ, ମଧୁମେହ, ପେଟରୋଗ କ୍ଷେତ୍ରରେ ଏହି ଜାମୁକୋଳି ମହୌଷଧି ସଦୃଶ ହୋଇଥିବା ବେଳେ ଏହା ବିଭିନ୍ନ ରୋଗକୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହୋଇଥାଏ । ସାଂପ୍ରତିକ ପରିସ୍ଥିତିରେ ଏହି ଋତୁକାଳୀନ ଫଳ ଜାମୁକୋଳି ଖାଇଲେ ଏହା ସ୍ୱାସ୍ଥ୍ୟ ପ୍ରତି କେତେ ଉପକାର ସେ ସଂପର୍କରେ ବହୁ ଜନସାଧାରଣ ସଚେତନ ଥିବାରୁ ଉଠା ଦୋକାନୀମାନେ ପସରା ପକାଇବା କ୍ଷଣି ଲୋକେ ଆଗ୍ରହର ସହକାରେ କ୍ରୟ କରୁଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ଜାମୁକୋଳି ଉତ୍ପାଦନ ହେଉନଥିଲେ ମଧ୍ୟ ରାଜ୍ୟର କେତେକ ଅଞ୍ଚଳରୁ ବହୁ ବ୍ୟବସାୟୀ ବିଭିନ୍ନ ସମୟରେ ଜାମୁକୋଳି ଆଣି ରାସ୍ତାକଡରେ ପସରା ପକାଇ ବିକ୍ରୀ କରୁଥିବା ବେଳେ ଏହାର ଯଥେଷ୍ଟ ଚାହିଦା ଥିବା ଦେଖିବାକୁ ମିଳୁଛି । ଜାମୁକୋଳି ଖାଇବା ଦ୍ୱାରା ହିମୋଗ୍ଳୋବିନ୍‍ ବୃଦ୍ଧି ପାଇଥାଏ ଓ ଶରୀରରେ ରକ୍ତ ସଂଚାଳନ ଠିକ୍‍ ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ ରହିିଛି । ସେହିପରି ମେଦବହୁଳ ରୋଗୀଙ୍କ ନିମନ୍ତେ ମଧ୍ୟ ଓଜନ ହ୍ରାସ କରିବାରେ ଏହି ଋତୁକାଳୀନ ଫଳ ଜାମୁକୋଳି ବିଶେଷ ସହାୟକ ହୋଇଥାଏ । ଜାମୁକୋଳି ଖାଇଲେ ଦୃଷ୍ଟିଶକ୍ତି ବୃଦ୍ଧି ହେବା ସହ ଚର୍ମକୁ ସତେଜ ରଖିବାରେ ବେଶ୍‍ ସହାୟକ ହୋଇଥାଏ ବୋଲି ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରା ସୂଚନା ଦେଇଛନ୍ତି । ଆସିକା ଅଞ୍ଚଳରେ ଜାମୁକୋଳିର ଦର ଆକାଶଛୁଆଁ ହୋଇଥିଲେ ମଧ୍ୟ ବହୁ ବ୍ୟକ୍ତି ନିଜ ଶକ୍ତି ଅନୁଯାୟୀ ଜାମୁକୋଳି କ୍ରୟ କରୁଥିବା ଦେଖିବାକୁ ମିଳୁଛି । ଆସିକା ସହରକୁ ଅଧିକ ଜାମୁକୋଳି ଆମଦାନୀ ହେଉନଥିବାରୁ ଦର ଉଚ୍ଚା ରହୁଥିବା ଜଣାପଡିଛି । ବହୁ ବ୍ୟକ୍ତି ଏହି ଜାମୁକୋଳିକୁ ଖାଇବା ସହ ଏହାର ମଂଜିକୁ ମଧ୍ୟ ସଂଗ୍ରହ କରିରଖି ଖରାରେ ଶୁଖାଇ ଗୁଣ୍ଡ କରି ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଖାଉଥିବା ଦେଖିବାକୁ ମିଳୁଛି । ଜାମୁକୋଳି ମଂଜିରେ ମଧୁମେହ ରୋଗ ପ୍ରତିଷେଧକ ଶକ୍ତି ରହିଥିବା ଜଣାପଡିଛି । ସେଥିପାଇଁ ଲୋକଙ୍କ ମଧ୍ୟରେ ଏହି ଜାମୁକୋଳିକୁ ନେଇ ଅଧିକ ଚାହିଦା ରହିଥିବା ପରିଲକ୍ଷିତ ହେଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଋତୁକାଳୀନ ଫଳ ଜାମୁକୋଳିର ଚାହିଦା ଓ ବିିକ୍ରୀବଟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ