ଅମଲା ସଂଘର ଅନିର୍ଦ୍ଧିଷ୍ଟ କାଳ କାର୍ଯ୍ୟ ବନ୍ଦ ପାଇଁ ଦାବି ପତ୍ର
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ରେଡକ୍ରସ ଭବନ ଭୁବନେଶ୍ୱର ଠାରେ ଓଡ଼ିଶା ରାଜସ୍ୱ ଅମଲା ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟାକାରିଣୀ ନିଷ୍ପତି ଅନୁଯାୟୀ ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କର ନିମ୍ନଲିଖିତ ଦାବିଗୁଡିକ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପାଇଁ ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିବାକୁ ଆଜି ତା୨୫.୦୬.୨୦୨୫ରିଖ ଦିନ ନିଷ୍ପତି ନିଆଯାଇଥିଲା । ତଦନୁଯାୟୀ କେନ୍ଦୁଝର ଜିଲ୍ଲା ଓଡ଼ିଶା ରାଜସ୍ୱ ଅମଲା ସଂଘ ସରକାରଙ୍କ ଉଦେ୍ଦଶ୍ୟରେ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକଙ୍କୁ ତାର ଦାବି ପତ୍ର ପ୍ରଦାନ କରିଛି । ମୁଖ୍ୟ ଦାବିଗୁଡିକ ହେଲା – (୧) ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ମୂଳ ଦରମା ଙଜଝଚ-୨୦୧୭ ନିୟମ ଅନୁଯାଇ ଲେବେଲ୍-୯କୁ ବୃଦ୍ଧି କରାଯାଉ । (୨) ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୮୮୯୮, ତା୧୫.୦୩.୨୦୨୪ରିଖ ଅନୁଯାୟୀ ସମସ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ । (୩) ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଉ । (୪) ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇ ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତିରେ ନିଯୁକ୍ତି ପ୍ରଦାନ କରାଯାଉ । (୫) ଓଡ଼ିଶା ରାଜସ୍ୱ ସେବା ପଦ୍ଧତିରେ ରାଜସ୍ୱ ଅମଲାମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ । (୬) ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଏବଂ ବିଭିନ୍ନ ମାଧ୍ୟମରେ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି । କିନ୍ତୁ ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ବର୍ତମାନ ଯାଏଁ ଫଳ ଶୂନ୍ୟ ହୋଇଅଛି । ଏହି ପରିପ୍ରେକ୍ଷୀରେ ଯଦି ରାଜ୍ୟ ସରକାର ଆଗାମୀ ୧୫ ଦିନ ମଧ୍ୟରେ ଉପରୋକ୍ତ ଦାବିଗୁଡିକ ପୂରଣ ନ କରନ୍ତି ତାହେଲେ, ସଂଘ ଆଗାମୀ ଜୁଲାଇ ୦୭ ତାରିଖଠାରୁ ଜୁଲାଇ ୧୧ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରିବ ଏବଂ ତା ସତ୍ୱେ ଯଦି ରାଜ୍ୟ ସରକାର ଉପରୋକ୍ତ ଦାବିଗୁଡିକ ପୂରଣ ନ କରନ୍ତି ତେବେ ଜୁଲାଇ ୧୪ତାରିଖ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସରକାରଙ୍କୁ ଚରମ ପତ୍ର ପ୍ରଦାନ କରାଯାଇଛି । ଏଥିରେ କେନ୍ଦୁଝର ଜିଲ୍ଲା ଶାଖା ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର, ସମ୍ପାଦକ ପ୍ରଭାତେନ୍ଦୁ ନାଏକ, କାର୍ଯ୍ୟକାରୀ ସଭାପତି ସଚିନ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ରଣା, ଭୁବନେଶ୍ୱର ମହାପାତ୍ର, ଉପଦେଷ୍ଟା ରାଧାରମଣ ଚକ୍ର, ମାଧବ ଚନ୍ଦ୍ର ସେଠୀ ଏବଂ ସଂଘର ମେଡିଆ ସଂଯୋଜକ ପୀତବାସ ମହାନ୍ତଙ୍କ ସମେତ ଶତାଧିକ ରାଜସ୍ୱ ଅମଲା କର୍ମଚାରୀ ଉପସ୍ଥିତ ଥିଲେ ।