ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ସିଡିଏମଓଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ମାସିକ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ନେଇ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲାର ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି) ସମେତ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଆଶାକର୍ମୀମାନେ ମାସିକ ଯେଉଁ ଜତ୍ କିଞ୍ଚିତ ପ୍ରାପ୍ୟ ପାଇଥାନ୍ତି ତାହା ପ୍ରତିମାସର ପ୍ରଥମ ସପ୍ତାହରେ ଦିଆଯିବା କଥା। ଏନେଇ ସଂଗଠନ ପକ୍ଷରୁ ବାରମ୍ବାର ଦାବି ଓ ଆନ୍ଦୋଳନ କରାଯିବା ପରେ ଏହା ଜିଲ୍ଲା ବ୍ୟାପି କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ ଦୀର୍ଘ ୭ମାସ ଧରି ସେମାନଙ୍କୁ ମାସିକ ପ୍ରାପ୍ୟ ମାସର ପ୍ରଥମ ସପ୍ତାହରେ ଦିଆଯାଉନାହିଁ। ଯାଦ୍ୱାରାକି ଦରଦାମ ବୃଦ୍ଧି ଦୁନିଆରେ ଆଶାକର୍ମୀମାନେ ସେମାନଙ୍କ ପରିବାର ଚଲାଇବା କଷ୍ଟକର ହୋଇପଡୁଛି। ଫଳରେ ସେମାନେ ହତୋତ୍ସାହିତ ହୋଇ ପଡୁଥିବା ଦର୍ଶାଇଛନ୍ତି। ଏସଂପର୍କରେ ସଙ୍ଘ ପକ୍ଷରୁ ଅପ୍ରେଲମାସ ୨୫ତାରିଖରେ ଇନ୍ଦୁପୁର ମେଡିକାଲ ଅଫିସରଙ୍କୁ ଜଣାଇଥିଲେ। ମାତ୍ର ଅଦ୍ୟାବଧି ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଆଶାକର୍ମୀମାନେ ୩ମାସର ପ୍ରାପ୍ୟ ପାଇନଥିବା ଅଭିଯୋଗ କରିଛନ୍ତି। ଆସନ୍ତା ୧୭ତାରିଖ ସୁଦ୍ଧା ସେମାନେ ଏହି ବକେୟା ପ୍ରାପ୍ୟ ନପାଇଲେ ଇନ୍ଦୁପୁର ଗୋଷ୍ଠି ସ୍ୱ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପିଲାଛୁଆଙ୍କ ସହ ଦାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ସଙ୍ଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେଉରା, ଜିଲ୍ଲା ସମ୍ପାଦିକା କାନ୍ତିପ୍ରଭା ନାୟକ, ଇନ୍ଦୁପୁର ସିଏଚସି ସମ୍ପାଦିକା ନନ୍ଦିନୀ ସ୍ୱାଇଁ, ସଂଯୁକ୍ତା ରାଉତ, ଏଆଇଟିୟୁସି ନେତା ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।