ଆୟୁଷ ଡାକ୍ତରଙ୍କ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଓଡିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି (ଏମ. ଏଚ. ୟୁ. ଆୟୁଷ ଡାକ୍ତର, କଲୋକେଟେଡ଼ ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର / ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର / ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆୟୁଷ ଡାକ୍ତର ଏବଂ ଆର. ବି. ଏସ. କେ. ଆୟୁଷ ଡାକ୍ତର) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କୁ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ପ୍ରାୟ ୩ହଜାର ଚୁକ୍ତିଭିଭିକ ଆୟୁଷ ଡାକ୍ତର ଓ ଆୟୁଷ ବିଭାଗ ପ୍ରତି ସରକାରଙ୍କ ଉଦାସୀନତା, ଅବହେଳା ଓ କାଳକ୍ଷେପଣ ନୀତି ପାଇଁ ମିଳିତ କ୍ରୀୟାନୁଷ୍ଠାନ କମିଟି ଦୁଃଖ ପ୍ରକାଶ କରି ସମସ୍ୟାର ଆଶୁ ସମାଧାନ ପାଇଁ ସରକାରଙ୍କୁ ନିବେଦନ କରିଛି। ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ଅଧୀନରେ ଏମଏଚୟୁ ୨୦୦୧ ଓ ଏନଏଚଏମ ଅଧୀନରେ ଆୟୁଷ ଓପିଡିରେ ୨୦୦୭, ୨୦୧୩ ରେ ଆର ବି ଏସ କେ ଦୀର୍ଘ ୨୪ ବର୍ଷରୁ ଉର୍ଦ୍ଧ୍ୱ ହେବ ଆୟୁଷ ଡାକ୍ତରମାନେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ ହେଁ ଆଜି ପର୍ଯ୍ୟନ୍ତ ସେମାନଙ୍କ ଚାକିରୀ ନିୟମିତ କରାଯାଇ ନାହିଁ। ଦୈନନ୍ଦିନ ରୋଗୀ ସେବା ସହିତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା ଓ କୋଭିଡ ଭଳି ମହାମାରି ସମୟରେ ନିଜ ଜୀବନକୁ ଉତ୍ସର୍ଗ କରି ସ୍ୱାସ୍ଥ୍ୟସେବା ଯୋଗାଇଦେବା ସତ୍ତ୍ୱେ ସରକାରଙ୍କ ଅବହେଳା ଆୟୁଷ ଡାକ୍ତରଙ୍କ ମନୋବଳକୁ ଭାଙ୍ଗି ଦେଇଛି। ମାତୃ ଓ ଶିଶୁ ମୃତ୍ୟୁହାର କମାଇବା, ଅଙ୍ଗନବାଡିର ଶିଶୁ ମାନଙ୍କ ଜଟିଳ ରୋଗ ଚିହ୍ନଟ ଓ ଚିକିତ୍ସାସେବା ଯୋଗାଇଦେବା, ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ତଦାରଖ ଓ ସେବାପ୍ରଦାନ, ଜାତୀୟ ଟୀକାକରଣ ଓ ଇନ୍ଦ୍ରଧନୁସର ସଫଳ ରୂପାୟନ, ପୋଲିଓର ସମ୍ପୂର୍ଣ୍ଣ ମୂଳୋତ୍ପାଟନ, କୁଷ୍ଠ ଓ ରାଜଯକ୍ଷ୍ମାର ନିରାକରଣ, ଅଣ ସଂକ୍ରାମକ ରୋଗର ନିୟନ୍ତ୍ରଣ ସଂଜୀବନୀ ମାଧ୍ୟମରେ ରୋଗର ନିଦାନ ଓ ଚିକିତ୍ସା ଯୋଗାଇ ଦେଇ ଆସୁଥିବା ଆୟୁଷ ଡାକ୍ତରଙ୍କ ଅବଦାନକୁ ନ୍ୟୁନ କରି ଗୋତିଶ୍ରମିକ ଭାବେ ଅଳ୍ପ ପାରିଶ୍ରମିକ ଦେଇ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ ଠିକାରେ ଖଟାଯାଉଛି। ଓଡିଶାରେ ମାତ୍ର ୧,୩୫୮ ଜଣ ନିୟମିତ ଆୟୁଷ ଡାକ୍ତର (ଏଏମଓ+ଏଚଏମଓ) ଅଛନ୍ତି। ଯେଉଁମାନେ ୪.୨ କୋଟି ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି। ଅର୍ଥାତ୍ ଜଣେ ଆୟୁଷ ଡାକ୍ତର ପ୍ରାୟ ୩୧ ହଜାର ଲୋକଙ୍କ ଦାୟିତ୍ୱ ବହଳ କରୁଛନ୍ତି। ଯାହା କୌଣସି ସ୍ୱାସ୍ଥ୍ୟ ମାନଦଣ୍ଡ ସହିତ ସମନ୍ୱୟ ରଖେ ନାହିଁ ବୋଲି କୁହାଯାଇଛି। ସେମାନଙ୍କ ଦାବି ଗୁଡିକୁ ଯୁଦ୍ଧ କାକାଳ ଭିତ୍ତିରେ ପୁରଣ କରିବାକୁ ଓଡ଼ିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି ଦୃଢ ଦାବି ଉପସ୍ଥାପନ କରିଛି। ସେମାନଙ୍କର ଦାବି ଗୁଡିକ ମଧ୍ୟରେ ଦୀର୍ଘ ବର୍ଷର ଚୁକ୍ତିି ଭିତ୍ତିିକ ଚାକିରୀକୁ ସ୍ଥାୟୀ କରାଯିବା, ସ୍ଥାୟୀ ହେବା ପର୍ଯ୍ୟନ୍ତ ନିୟମିତ ଆୟୁଷ ଡାକ୍ତରଙ୍କ ସହ ସମାନୁପାତିକ ହାରରେ ବର୍ଦ୍ଧିତ ଦରମା ପ୍ରଦାନ, ୧୧ ମାସିଆ ଚୁକ୍ତି ବ୍ୟବସ୍ଥାର ସମ୍ପୁର୍ଣ ଉଛେଦ, ରାଜ୍ୟର ସମସ୍ତ ଆୟୁଷ ଡାକ୍ତରଙ୍କୁ ସ୍ୱତନ୍ତ୍ର ଆୟୁଷ ବିଭାଗରେ ଅନ୍ତର୍ଭୁକ୍ତ କରାଯାଇ ନିୟମିତ ଆୟୁଷ ଔଷଧ ଯୋଗାଣ ସହ ଆୟୁଷ ସହାୟକ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ସମାନ ଅନୁପାତରେ ଏକକାଳୀନ ମୃତ୍ୟୁ ସହାୟତା, ଦୁର୍ଘଟଣାରେ ଅକର୍ମଣ୍ୟ ବା ମୃତ୍ୟୁ ହେଲେ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ସମାନୁପାତିକ ସହାୟତା ପ୍ରଦାନ, ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଥିବା ସମସ୍ତ କର୍ମଚାରୀଙ୍କ ପରି ମୋବାଇଲ ହେଲଥ ୟୁନିଟର ଡାକ୍ତରଙ୍କୁ ଇପିଏଫ ପରିଷର ଭୁକ୍ତ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି। ଯଦି ଏହି ନାର୍ଯ୍ୟ ଦାବି ଗୁଡିକ ଆସନ୍ତା ଡିସେମ୍ବରମାସ ୨ତାରିଖ ସୁଦ୍ଧା ପୁରଣ ନହୁଏ ତେବେ ଆସନ୍ତା ୩ତାରିଖ ଠାରୁ ଗଣତାନ୍ତ୍ରିକ ଉପାୟରେ ଆୟୁଷ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଓଡିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ଶାଖା ସଭାପତି ଡା. ବି.କେ. ପ୍ରଶାନ୍ତ କୁମାର, ଜିଲ୍ଲା ବରିଷ୍ଠ ଉପଦେଷ୍ଟା ଡା. ଖଗେଶ୍ୱର ନାୟକ, ଜିଲ୍ଲା ସମ୍ପାଦକ ଡା. ପ୍ରଦୀପ କୁମାର ଚମ୍ପତ୍ତି, ଜିଲ୍ଲା ସଂଚାଳକ ଡା. ସୈାହାର୍ଦ୍ୟ ନାୟକ, ସମ୍ପାଦକ ଡା. ଅସିଫ ହୁସେନ, କୋଷାଧ୍ୟକ୍ଷ ଡା. ରଘୁନାଥ ଓଝା, ଉପଦେଷ୍ଟା ଡା. ଅଯୋଦ୍ଧାନାଥ ଶର୍ମା, ସଂଚାଳକ ଡା. ସୀତାକାନ୍ତ କର, ଜିଲ୍ଲା ସଂଚାଳିକା ଡା. ପ୍ରିୟମ୍ବଦା ମିଶ୍ର, ସଭାପତି ଡା. ଶାରଦା ପ୍ରସାଦ କର ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ