ସରକାରୀ କୃଷି ମହାବିଦ୍ୟାଳୟର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର
ବାଲେଶ୍ୱର,(ସରୋଜ ପଣ୍ଡା) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାଲେଶ୍ୱର ଗସ୍ତ ଅବସରରେ ସୋମବାର ଦିନ ପୂର୍ବାହ୍ନରେ ବାଲେଶ୍ୱର ସର୍କିଟ୍ ହାଉସ୍ଠାରେ ସରକାରୀ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତି ପକ୍ଷରୁ ଏକ ପ୍ରତିନିଧିଦଳ ତାଙ୍କୁ ସାକ୍ଷାତ୍ କରି ବାଲେଶ୍ୱରରେ ଏକ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ବାଲେଶ୍ୱର ଏକ କୃଷିପ୍ରଧାନ ଜିଲ୍ଲା ହୋଇଥିଲାବେଳେ ରାଜ୍ୟ ସରକାର ଏଥିପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପ୍ରତିନିଧିମାନେ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଏହି ସାକ୍ଷାତକାର ସମୟରେ ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଓ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଦାବି ସଂପର୍କରେ ସରକାରଙ୍କୁ ଅବଗତ କରାଇ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ମାନ୍ୟବର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିôବା ସଂପର୍କରେ କ୍ରିୟାନୁଷ୍ଠାନ ସମିତିପକ୍ଷରୁ କୁହାଯାଇଛି। ବାଲେଶ୍ୱରର ମାନ୍ୟବର ବିଧାୟକମାନେ ଏଥିପାଇଁ ଆସନ୍ତା ବିଧାନସଭାରେ ବାଲେଶ୍ୱରବାସୀଙ୍କ ଏହି ଦୀର୍ଘଦିନର ଦାବି ସଂପର୍କରେ ବିଧାନସଭା ଗୃହରେ ସରକାରଙ୍କ ଦୃଷ୍ଟିକୁ ଆଣିବାପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଆଲୋଚନାରେ କ୍ରିୟାନୁଷ୍ଠାନ ସମିତିର ସଭାପତି ଡ. କେଶବ ଚରଣ ପଣ୍ଡା, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସଂପାଦକ ଅଭୟ ଚନ୍ଦ୍ର ମିଶ୍ରଙ୍କ ସମେତ ପ୍ରଫୁଲ୍ଲ କୁମାର ଦାସ, ଭାସ୍କର ଚନ୍ଦ୍ର ପାଢ଼ୀ, ନିରଞ୍ଜନ ରାଉତ, ଶ୍ୟାମସୁନ୍ଦର ଜେନା, ଯତୀନ୍ ପାତ୍ର, ଯୋଗେଶ ଚନ୍ଦ୍ର ପ୍ରଧାନ ଓ ରମେଶ ଚନ୍ଦ୍ର ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ରବିବାର ଅପରାହ୍ନରେ କ୍ରିୟାନୁଷ୍ଠାନ ସମିତିର କାର୍ଯ୍ୟକାରୀ କମିଟି ବୈଠକରେ ଆସନ୍ତା ମଙ୍ଗଳବାରଦିନ ରେମୁଣା ବ୍ଲକ୍ ଅଫିସ୍ ସମ୍ମୁଖରେ ସ୍ଥାନୀୟ କମିଟି ପକ୍ଷରୁ ଗଣଧାରଣା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ବିଧାନସଭା ଅଧିବେଶନ ସମୟରେ କ୍ରିୟାନୁଷ୍ଠାନ ସମିତିର ପ୍ରମୁଖ କର୍ମକର୍ତ୍ତା ଭୁବନେଶ୍ୱରରେ ବାଲେଶ୍ୱର ଜିଲ୍ଲାର ସମସ୍ତ ବିଧାୟକମାନଙ୍କୁ ସାକ୍ଷାତ କରି ବାଲେଶ୍ୱରରେ କୃଷି ସମ୍ବନ୍ଧୀୟ ଏକ ଉଚ୍ଚ ଶିକ୍ଷାନୁଷ୍ଠାନ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମିତ୍ତ ନିଷ୍ପତ୍ତି ନିଆଯାଇଛି। ଏ ସଂପର୍କରେ ବିଶଦ ଆଲୋଚନା ପାଇଁ ମଙ୍ଗଳବାର ଅପରାହ୍ନରେ ପଢ଼ୁଆଁପଦାସ୍ଥିତ ଉଠା ଜଳସେଚନ କର୍ମଚାରୀ ଭବନରେ କ୍ରିୟାନୁଷ୍ଠାନ ସମିତିର କର୍ମକର୍ତ୍ତାଙ୍କ ସମେତ ବାଲେଶ୍ୱରର ସମସ୍ତ ଗଣସଂଗଠନ ଓ ସାମାଜିକ ସଂଗଠନର ପ୍ରତିନିଧିମାନେ ଯୋଗଦେବାକୁ ସମିତି ପକ୍ଷରୁ ନିବେଦନ କରାଯାଇଛି।