ଧନୁର୍ଜୟପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ +୨ ଖୋଲିବାକୁ ଦାବି
ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ଧନୁର୍ଜୟପୁର ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ ଖୋଲିବା ସହିତ ଧନ୍ଦା ମୂଳକ ଶିକ୍ଷାଦନ ଆରମ୍ଭ ପାଇ ଜିଲ୍ଲାପାଳ ଅଭିଯୋଗ ପ୍ରକୋଷ୍ଠରେ ସମାଜସେଵୀ ବିଶ୍ବରଂଜନ ବେହେରା ଦାବି ଉପସ୍ଥାପିତ କରିଛନ୍ତି। ବାଙ୍ଗୋର, ଧନୁର୍ଜୟପୁର, କେ ବାଲିପାଳ, ହଦଗଡ, ପଢିଆରିପଲ୍ଲୀ ପ୍ରଭୃତି ଆଦିବାସୀ ବହୁଳ ପଞ୍ଚାୟତ ମଧ୍ୟରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଯୁକ୍ତ ଦୁଇ ଶିକ୍ଷାର ଆବଶ୍ୟକତା ରହିଛି। ଏହି ଅଞ୍ଚଳରେ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ନଥିବାରୁ ଅଧିକାଂଶ ପିଲା ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇ ରହୁଛନ୍ତି। ବଉଳା ଖଣି ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଲୋକ ମାନଙ୍କର ଜୀବନ ଧାରଣ ମାନରେ ଉନ୍ନତି ହେଉ ନାହିଁ। ଅଧିକାଂଶ ପିଲା ମାଟ୍ରିକ ପରେ ପାଠ ଛାଡି ବେକାର ହେଉଛନ୍ତି। ସେହିପରି ଆଜିର ଛାତ୍ର ଛାତ୍ରୀ ମାନେ ଧନ୍ଦା ମୂଳକ ଶିକ୍ଷାପ୍ରତି ଆଗ୍ରହ ଦେଖାଉ ଥିବାରୁ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଯୁକ୍ତ ଦୁଇ ସହିତ ଧନ୍ଦା ମୂଳକ ଶିକ୍ଷା ପ୍ରଦାନ କରିବା ଜରୁରୀ । ଧନୁର୍ଜୟପୁର୍ ପଞ୍ଚାୟତ ଟି ଏହି ସବୁ ଅଞ୍ଚଳର କେନ୍ଦ୍ରସ୍ଥଳ ହୋଇଥିବାରୁ ଧନୁର୍ଜୟପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ +୨ ଖୋଲିବାକୁ କେନ୍ଦୁଝର ବଞ୍ଚାଅ ମଞ୍ଚର ବିଶ୍ବରଂଜନ ବେହେରା, ସ୍କୁଲ କମିଟି ର ସଭାପତି ଅନିରୁଦ୍ଧ ନାଇକ ପ୍ରମୁଖ ଦାବି କରିଛନ୍ତି। ଏନେଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ମଧ୍ଯ ଜିଲ୍ଲା ପରିଷଦ ବୈଠକରେ ପ୍ରସ୍ତାବ ଦେଇଥିବା କହିଛନ୍ତି। ସରକାର ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି।