ଦଳିତ, ଆଦିବାସୀ, ପଛୁଆ ବର୍ଗ ଓ ଶ୍ରମିକଙ୍କ ଅଧିକାରକୁ ପ୍ରାଥମିକତା ଦେବା ଦାବି :ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ
ଛତ୍ରପୁର, (ଚିତ୍ତ ରଞ୍ଜନ ଦାଶ): ରାଜ୍ୟ ସରକାରଙ୍କ ଦଳିତ, ଆଦିବାସୀ, ପଛୁଆ ବର୍ଗ ଓ ଶ୍ରମିକଙ୍କ ଅଧିକାରକୁ ପ୍ରାଥମିକତାଦେବା, ବାମସେଫ୍ ଓ ଭାରତ ମୁକ୍ତି ମୋର୍ଚାର ରାଷ୍ଟ୍ରୀୟ ଅଧିବେଶନକୁ ପୂନଃ ସ୍ବୀକୃତି ପ୍ରଦାନ କରିବା, ପୂର୍ବରୁ ବାତିଲ ହୋଇଥିବା ଅଧିବେଶନ ପାଇଁ ଯଥୋଚିତ କ୍ଷତିପୂରଣ ଦେବା, ଜଙ୍ଗଲ ଜମି ଅଧିକାର ଆଇନକୁ ସଠିକ୍ ଓ ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା, ଗଞ୍ଜାମ ଜିଲ୍ଲାର ଆଧାର ଅପରେଟରମାନଙ୍କ ଅଧିକାର ସୁରକ୍ଷା ପ୍ରଦାନ କରିବା ସମେତ ବିଭିନ୍ନ ଦାବୀ ନେଇ ଗୁରୁବାର ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗଣ ସଂଗଠନ ଯଥା—ଭାରତ ମୁକ୍ତି ମୋର୍ଚ୍ଚା, ଭିଟା -ମାଟି ସୁରକ୍ଷା ଅଭିଯାନ, ଆଦିବାସୀଲୋକ ସଂଗଠନ ଦକ୍ଷିଣାଞ୍ଚଳ ନିକାଶ ମଞ୍ଚ, ଦଳିତ ସହାୟକ ସହାଯକ ପ୍ରତିଷ୍ଠାନ ଏବଂ ଗଞ୍ଜାମ ଜିଲ୍ଲା ଆଧାର ଅପରେଟର ସଂଘର କର୍ମକର୍ତ୍ତା ଆଜି ଛତ୍ରପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଘେରାଉ କରିଛନ୍ତି । ଏହା ସହିତ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀଅଧୀକ୍ଷିକ ଙ୍କୁ ଏକ ଉଦେଶ୍ୟ ପୃଥକ ପୃଥକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟ ସରକାର ବାମସେଫ୍ ଓ ଭାରତ ମୁକ୍ତି ମୋର୍ଚାର ରାଷ୍ଟ୍ରୀୟ ଅଧିବେଶନକୁ କଟକ ବାଲିଯାତ୍ରା ପଡିଆରେ ଆୟୋଜନ କରିବା ପାଇଁ ସ୍ବୀକୃତି ପ୍ରଦାନ କରିଥିଲେ । କିନ୍ତୁ ଏହି ସଭାରେ ଏକ ଲକ୍ଷରୁ ଅଧିକ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଲୋକ ଯୋଗଦେବାର ସମ୍ଭାବନା ଥିବା ଜଣାପଡିବା ପରେ, ରାଜ୍ୟ ସରକାର ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ଭାବରେ କାର୍ଯ୍ୟକ୍ରମ ଆୟୋଜନର କିଛି ଦିନ ପୂର୍ବରୁ ଏହାକୁ ବାତିଲ କରିଥିଲେ । ଏହା ଫଳରେ ଦେଢ଼ କୋଟି ଟଙ୍କାରୁ ଅଧିକ ଆର୍ଥିକ କ୍ଷତି ହୋଇଛି। ଏହି କ୍ଷତିପୂରଣ ପ୍ରଦାନ କରିବା ସହ ପୁନଃ ସେହି ସ୍ଥାନରେ ଅଧିବେଶନ ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ପଠାଯାଇଛି I ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକରେ ବସବାସ କରୁଥିବା ଦଳିତ ଓ ଆଦିବାସୀମାନଙ୍କୁ ବ୍ୟକ୍ତିଗତ ଓ ସାମୂହିକ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ସହ ତାଙ୍କ ଆର୍ଥିକ-ସାମାଜିକ ସଶକ୍ତିକରଣ ଓ ଆତ୍ମନିର୍ଭରତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରାଯାଇଛି। ଏହା ସହ ବେଗୁନିଆପଡା ବ୍ଲକର ଆଦିବାସୀ ମଧୁ ଶବରଙ୍କୁ ଗୋଇଲୁଣ୍ଡି, ବ୍ରହ୍ମପୁରର ଶୁଣ ସନ ଆଇ କେୟାର କ୍ଲିନିକ ଦ୍ବାରା କଥିତ ନିଶୁଳ୍କ ଚକ୍ଷୁ ପରୀକ୍ଷା ନାମରେ ପରିବାରର ଅନୁମତି ବିନା ଉଠାଇ ନିଆଯାଇଥିବା ଘଟଣା ବର୍ତ୍ତମାନ ମାନବ ଚାଲାଣ ସନ୍ଦେହକୁ ଜନ୍ମ ଦେଇଛି। କିନ୍ତୁ ବେଗୁନିଆପଡା ଥାନାର ଆଇ.ଆଇ.ସିଙ୍କ ଅକ୍ରିୟତା, ଅସଦାଚରଣ ଓ କ୍ଲିନିକ ସହ ଚଞ୍ଚକତା ଫଳରେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ ଓ ତଦନ୍ତ ଦିଗଭ୍ରଷ୍ଟ ହୋଇଛି ବୋଲି ଅଭିଯୋଗ କରାଯାଇଛି। ଏହାଛଡ଼ା, ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଆଧାର ଅପରେଟରମାନେ ବ୍ଲମ ସୋଲୁସନ ପ୍ରାଇଭେଟ ଲିଃ ଦ୍ବାରା ଦରମା ଅଟକ, ଶ୍ରମ ଶୋଷଣ, ମାନସିକ ଉତ୍ପୀଡନ ଓ ଆର୍ଥିକ ଠକେଇର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଛନ୍ତି। କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ଓ ରାଜ୍ୟ କୋଅର୍ଡିନେଟର ଙ୍କ ବିରୋଧରେ ତୁରନ୍ତ ଏଫ ଆଇ ଆର ରୁଜୁ କରି କଡା କାର୍ଯ୍ୟାନୁଷ୍ଠାନ ନେବା ସହ ଶିବା ସତ୍ୟମଙ୍କୁ ପୁନଃ ନିଯୁକ୍ତ କରି ସମ୍ମାନ ଫେରାଇ ଦେବା ପାଇଁ ଦାବୀ ରଖାଯାଇଛି । ଏହି କାର୍ଯ୍ୟକ୍ରମ ସୁମା ଦାସ, ବିଜୟ ସ୍ବାଇଁ, ମଧୁସୂଦନ ସେଠୀ, ରଜନୀ ଶବର, ସୌରୀ ଶବର, ଶଙ୍କର ଶବର, ରାଜୁ ଶବର, ଜ୍ଞାନ ରଞ୍ଜନ ସାହୁ, ସନ୍ତୋଷ ସାହୁ, ସାଗର କୁମାର ସାହୁ, ପ୍ରମୋଦ ନାୟକ, ପିଣ୍ଟୁ ଦାସ, ଜଗନ୍ନାଥ ପ୍ରଧାନ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭ ରେ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ ବିଶାଳ ଶୋଭାଯାତ୍ରା ରେ ବାହାରି ଛତ୍ରପୁର ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ପହଁଚି ଥିଲେ l


