ପୁନର୍ବାର ବିଏସକେୱାଇ ଲାଗୁ କରିବାକୁ ଦାବି
ବୁଗୁଡା,(ଅନୀଲ କୁମାର ମହାରଣା) : ଓଡ଼ିଶାରେ ପୁନର୍ବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିବାକୁ ସର୍ବସାଧାରଣଙ୍କ ମଧ୍ୟରେ ଦୃଢ଼ ଦାବି ହେଉଛି। ଓଡ଼ିଶାରେ ବିଜେପି ସରକାର ଗଠନ ହେବାପରେ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିଥିଲେ। ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜନସାଧାରଣ ଯେପରି ସହଜରେ ଚିକିତ୍ସା ସୁବିଧା ପାଉଥିଲେ ଆୟୁଷ୍ମାନ ଭାରତ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସେହିପରି ସୁବିଧା ସୁଯୋଗ ପାଇପାରୁନାହଁଆନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ଯେପରି ଜଟିଳ ବ୍ୟବସ୍ଥା ରହିଛି ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ଗ୍ରହଣ କରିବାକୁ ନାରାଜ। ଯଦି ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସା ପାଇଁ ଯାଏ ତେବେ ପ୍ରଥମେ ନିଜ ହାତରୁ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ। ଗରିବ ଲୋକମାନଙ୍କ ପାଇଁ ବର୍ତ୍ତମାନ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବା ଭାଗ୍ୟରେ ନାହିଁ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ବାହାର ରାଜ୍ୟରେ ଚିକିତ୍ସା ସୁବିଧାକୁ ରାଜ୍ୟ ସରକାର ୧୧/୦୪/୨୦୨୫ ମଧ୍ୟରାତ୍ରରୁ ବନ୍ଦ କରିଦେଇଛନ୍ତି। ଯାହା ଦ୍ୱାରା ପ୍ରାୟ ଦଶ ହଜାର କ୍ୟାନସର ରୋଗୀ ଅନ୍ୟ ରାଜ୍ୟରେ ଚିକିତ୍ସା ହେଉଥିଲେ ସେମାନେ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶୁଣାଯାଉଛି। ବହୁ ଓଡ଼ିଆ ଶ୍ରମିକ ସୁରାଟରେ କାର୍ଯ୍ୟ କରୁଛନ୍ତି। ସରକାରଙ୍କ ନିୟମ ପ୍ରକାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସୁରାଟରେ ସେମାନେ ଚିକିତ୍ସା ହୋଇପାରିବେ ନାହିଁ। ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେମାନେ ସୁରାଟରେ ମାଗଣାରେ ବହୁ ଜଟିଳ ରୋଗର ଚିକିତ୍ସା ହୋଇପାରୁଥିଲେ। ଯଦି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଅନ୍ୟ ରାଜ୍ୟରେ ରୋଗୀମାନେ ଚିକିତ୍ସା ହୋଇପାରିବେ ନାହିଁ ତେବେ ଏହି ଯୋଜନାର ଆବଶ୍ୟକ ନାହିଁ। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଜନସାଧାରଣ ଯେପରି ସହଜରେ ଚିକିତ୍ସା ସୁବିଧା ପାଇବେ ସରକାର ଏହି ଦୁଇ ଯୋଜନାକୁ ସଂଶୋଧନ କରନ୍ତୁ ନତୁବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପୁନର୍ବାର ଲାଗୁ କରନ୍ତୁ ବୋଲି ଜନସାଧାରଣ ଦାବି କରିଛନ୍ତି।