ଆନନ୍ଦପୁରକୁ ଜିଲ୍ଲା ମାନ୍ୟତା ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ହାଟଡିହି , (ପାର୍ଥ ସୌରଭସା ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ୨୦୨୩ରେ ଆନନ୍ଦପୁର ଉପଖଣ୍ଡକୁ ଜିଲ୍ଲା ଦାବିରେ ୨୯ଦିନ ଧରି ଆନ୍ଦୋଳନ ହୋଇଥିଲା। ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପାଇଁ ଉପଖଣ୍ଡ ସମସ୍ତ ସର୍ଭ ପୂରଣ କରୁଥିବାବେଳେ ଏଥିପ୍ରତି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଆନନ୍ଦପୁରରୁ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟର ଦୂରତା ୮୦କିମି ହୋଇଥିବା ବେଳେ ହାଟଡିହି ବ୍ଲକ୍ର ବଉଳା, ଆନନ୍ଦପୁର ବ୍ଲକ୍ର ମନୋହରପୁରରୁ ଏହି ଦୂରତା ୧୪୦ରୁ ୧୫୦କିମି।ଆନନ୍ଦପୁର ଉପଖଣ୍ଡକୁ ଜିଲ୍ଲା ପ୍ରଶାସନ ସବୁ କ୍ଷେତ୍ରରେ ଅବହେଳା କରିଚାଲିଛି। ରାଜ୍ୟ ସରକାର କେନ୍ଦୁଝର ପାଇଁ ଅନୁଦାନ ବର୍ଷା କରୁଥିବା ବେଳେ ଆନନ୍ଦପୁର ଉପଖଣ୍ଡ ପାଇଁ ସେଭଳି କିଛି କରାଯାଉନି। ଆନନ୍ଦପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ଦାବି ହୋଇଛି। ଏଥିପାଇଁ ଆନନ୍ଦପୁର ବିକାଶ ପରିଷଦର ଶତାଧିକ ସଦସ୍ୟ ଦଧିବାମନଜିଉ ମନ୍ଦିର ନିକଟରେ ଏକାଠି ହୋଇଥିଲେ। ଆନନ୍ଦପୁର ବିକାଶ ପରିଷଦ ସଭାପତି ପ୍ରଫେସର ରମାକାନ୍ତ ନାୟକଙ୍କ ନେତୃତ୍ଵରେ ଏକ ଶୋଭାଯାତ୍ରା ଆନନ୍ଦପୁର ବଜାର ଓ କଚେରି ଛକ ପରିକ୍ରମା କରିଥିଲା। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ଲୋକନାଥ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବରିଷ୍ଠ ବିଜେପି ନେତା ତ୍ରିଲୋଚନ ଦାଶ, ଯଜ୍ଞପ୍ରସାଦ ସାହୁ, ଆଇନଜୀବୀ ଭାଗୀରଥି ଦାଶ, ସାମ୍ବାଦିକ ମଦନ ପାଣି, ଶତ୍ରୁଘ୍ନ ସାହୁ, କିଶୋର ଆଚାର୍ଯ୍ୟ, ନିରାକାର ଦଳେଇ, ସତ୍ୟାନନ୍ଦ ମିଶ୍ର, କାଉନସିଲର କୃଷ୍ଣଚନ୍ଦ୍ର ରଣା, ସନତ କର, ଓଷ୍ଟା ସମ୍ପାଦକ ପ୍ରଦୀପ ହଜାରୀ, ବରିଷ୍ଠ ନାରରିକ ରାମଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ମାନ୍ୟତା ଦାବିକୁ ଜୋରଦାର କରିବାକୁ ଆହ୍ବାନ ଦେଇଥିଲେ । ପରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନାଙ୍କୁ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ବାଇଧର ସେଠୀ, ସତ୍ୟପ୍ରକାଶ ସାହୁ, ମୁକ୍ତିକାନ୍ତ ରାମ, ଲଳିତ କିଶୋର ଚାନ୍ଦ, ଦେବେନ୍ଦ୍ରନାଥ ସ୍ବାଇଁ, ରମେଶ ସିଂହ, ସୁଦାମ ମଙ୍ଗଳ, ରବିନାରାୟଣ ହୋତା, ପଦ୍ମନାଭ ପାତ୍ର, ମମତାରାଣୀ ଜେନା, ପ୍ରଣୟିନୀ ବ୍ରହ୍ମ, ଗୋପରଞ୍ଜନ ପାଣି, ସପନ କୁମାର ବେହେରା, ଗଗନ ସିଂହ, କିଶୋର ରଣା, ଜ୍ୟୋତିରଂଜନ ଜେନା, ଶାନ୍ତନୁ କୁମାର ମିଶ୍ର, ମୁରଲୀଧର ମିଶ୍ର, ରଘୁନାଥ ପଣ୍ଡିତ, ଧନେଶ୍ଵର ସାହୁ ଉପସ୍ଥିତ ଥିଲେ ।


