ଘନ କୁହୁଡି ଯୋଗୁଁ ଆସିକାରେ ଜୀବନଯାତ୍ରା ପ୍ରଭାବିତ
ଆସିକା (ୱାଇଏନ୍ଏସ୍) : ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପ୍ରତ୍ୟୁଷରୁ ପୂର୍ବାହ୍ନ ପ୍ରାୟ ୬ ଘଣ୍ଟିକା ସମୟ ପର୍ଯ୍ୟନ୍ତ ଘନ କୁହୁଡି ରହୁଥିବା ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହେବା ସାଙ୍ଗକୁ କେତେକ କ୍ଷେତ୍ରରେ ଜନଜୀବନ ବି ଅସ୍ତବ୍ୟସ୍ତ ହୋଇପଡୁଥିବା ଦେଖିବାକୁ ମିଳୁଛି । ଗତ ୨ ଦିନ ହେଲା ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଥିଲା ବେଳେ ପ୍ରତ୍ୟୁଷରୁ ଦୀର୍ଘ ସମୟ ଧରି ଘନ କୁହୁଡି ଲାଗିରହୁଥିବାରୁ ଆସିକା-ଭୁବନେଶ୍ୱର ଏବଂ ଆସିକା-ବ୍ରହ୍ମପୁର ଓ ଆସିକା-ଫୁଲବାଣୀ ମୁଖ୍ୟରାସ୍ତାରେ ଯାନବାହାନ ଚଳାଚଳ କିଛି ମାତ୍ରାରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । କୁହୁଡିର ଚାଦରରେ ପ୍ରତ୍ୟୁଷ ଉଭେଇ ଯାଉଥିବା ପରିଲକ୍ଷିତ ହେଉଛି । ଶୀତଦିନର ସକାଳର ଖରା ଦେହ ପାଇଁ କିଛି ମାତ୍ରାରେ ହିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଥିଲା ବେଳେ ଗତ ୨ ଦିନ ହେଲା ଘନ କୁହୁଡି ଯୋଗୁଁ ସହରର ବହୁ ଯୁବପିଢୀ ଖରାକୁ ଉପଭୋଗ କରିବାରୁ ବଞ୍ଚିତ ହେଉଥିବା ଜଣାପଡିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡି ଯୋଗୁଁ ମୁଖ୍ୟରାସ୍ତାରେ ସଡକ ଦୃଶ୍ୟମାନରେ ନାନା ସମସ୍ୟା ସୃଷ୍ଟି ହେଉଛି । ଇଂରାଜୀ ନୂଆଁବର୍ଷ ୨୦୨୬ ଆରମ୍ଭରୁ ଥଣ୍ଡାର ପ୍ରକୋପ କିଛି ମାତ୍ରାରେ ହ୍ରାସ ପାଇଚାଲିଥିବାରୁ ଆସିକା ଅଞ୍ଚଳବାସୀଙ୍କ ଶୀତର ପ୍ରକୋପରୁ ଆଶ୍ୱସ୍ତି ମିଳିଥିବା ଜଣାପଡିଛି ।


