୭୯ତମ ସ୍ୱାଧୀନତା ଦିବସ ଅବସରରେ ପତକା ଉତ୍ତୋଳନ କରି କଟକବାସୀଙ୍କୁ ଉଦବୋଧନ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

କଟକ,(ଓ୍ବାଇଏନଏସ): କଟକରେ ପାଳିତ ହୋଇଛି ୭୯ତମ ସ୍ୱାଧୀନତା ଦିବସ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତକା ଉତ୍ତୋଳନ କରି କଟକବାସୀଙ୍କୁ ଉଦବୋଧନ ଦେଇଥିଲେ । ଜାତୀୟତାବୋଧ ମନୋଭାବକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟିବା ଏହି ସ୍ୱାଧୀନତା ଦିବସର ମୂଳଲକ୍ଷ୍ୟ । ସ୍ୱାଧୀନତା ସଂଗ୍ରାମରେ କଟକ ଥିଲା କେନ୍ଦ୍ର ବିନ୍ଦୁ, ପବିତ୍ର ତୀର୍ଥ ଭୂମି ହେଉଛି କଟକ। ସ୍ୱାଧୀନତା ହାସଲ ଦିଗରେ ଓଡିଶାରେ କଟକର ସ୍ୱତନ୍ତ୍ର ପରିଚୟ ରହିଛି । ଏହାସହ ରାଜ୍ୟରେ ନୂଆ ସରକାର ଆସିବା ପରେ ଅନେକ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିଛୁ । ମହିଳାଙ୍କୁ ସ୍ୱୟଂ ସମ୍ପୂଣ୍ଣା କରିବା ଏହି ସରକାରଙ୍କ ଲକ୍ଷ୍ୟ । ସବକା ସାଥ ଓ ସବକା ବିକାଶର ମନ୍ତ୍ର ନେଇ ଆଗେଇ ଚାଲିଛନ୍ତି ସରକାର ବୋଲି କହିବା ସହ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରିଥିଲେ ଉପମୁଖ୍ୟମନ୍ତ୍ରୀ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି,”ଆଜିର ଏହି ପବିତ୍ର ୭୯ତମ ସ୍ଵାଧୀନତା ଦିବସରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛି । “ଜଗତର ପ୍ରାଣେ ପ୍ରାଣେ ଭରି ଦେଇଛି ମହା ଜୀବନର ସ୍ପର୍ଶ ବିଶ୍ଵ ଜଗତ ତୀର୍ଥ ସେ ମୋର ପୂଣ୍ୟ ଭାରତ ବର୍ଷ”, ବିଶିଷ୍ଠ କବି ରାଧାମୋହନ ଗଡନାୟକଙ୍କ ଏହି ପଂକ୍ତିରେ ଉଲ୍ଲିଖିତ ପୂଣ୍ୟ ଭାରତ ବର୍ଷକୁ ମୋର କୋଟି କୋଟି ପ୍ରଣିପାତ l ଜାତିର ଜନକ ମହାତ୍ମା ଗାନ୍ଧୀ, ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ, ଜବାହାରଲାଲ ନେହରୁ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ମୌଲାନା ଆଜାଦ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଅନ୍ୟାନ୍ୟ ମହାପୁରୁଷ ଓ ଅମର ସହିଦ ମାନଙ୍କୁ ମୁଁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି l ଓଡ଼ିଶାର ମହାନ ସ୍ଵାଧୀନତା ସଂଗ୍ରାମୀ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ମା ରମାଦେବୀ, ମାଳତୀ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାୟକ, ବାଜି ରାଉତ, ବୀର ସୁରେନ୍ଦ୍ର ସାଏ, ଜୟୀ ରାଜଗୁରୁ, ବିଜୁ ପଟ୍ଟନାୟକଙ୍କ ପରି ଦେଶପ୍ରେମୀମାନଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି । ଭାରତର ସାମରିକ ଶକ୍ତିର ପରାକାଷ୍ଠା ପ୍ରମାଣିତ କରୁଥିବା “ଅପେରସନ ସିନ୍ଦୁର”ରେ ବୀର ଯବାନ ମାନଙ୍କର ଧୈର୍ଯ୍ୟ ଓ ଅଦମ୍ୟ ସାହସକୁ ମୁଁ ଶତ କୋଟି ପ୍ରଣାମ ଜଣାଉଛି । ” ଆହୁରି ମଧ୍ୟ କହିଛନ୍ତି,”ହଜାରେ ବର୍ଷର ସହର କଟକ, ଓଡ଼ିଶାର ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଓ ଶିକ୍ଷାର ପ୍ରାଣକେନ୍ଦ୍ର ଭାବେ ପରିଚିତ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏ ସହର ଏକ ସ୍ୱତନ୍ତ୍ର ସ୍ଥାନ ବହନ କରେ । ଏଠାରେ ଅବସ୍ଥିତ ସ୍ଵରାଜ ଆଶ୍ରମ ଓଡ଼ିଶା ସ୍ଵାଧିନତା ଆନ୍ଦୋଳନର ନେତୃବୃନ୍ଦଙ୍କ କେବଳ ପ୍ରଧାନ କର୍ମସ୍ଥଳୀ ନ ଥିଲା, ପ୍ରତ୍ୟେକ ସ୍ଵାଧିନତା ସଂଗ୍ରାମୀମାନଙ୍କର ଥିଲା ପବିତ୍ର ତୀର୍ଥଭୂମି । ଓଡିଆ ଯୁବଶକ୍ତି ଏଠାରେ ସଂଗଠିତ ହୋଇ ଇଂରେଜ ଶାସନ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ପାଇଁ ସାହସ କରୁଥିଲେ l ମହିଳାମାନେ ଘରୁ ବାହାରି ସ୍ଵାଧୀନତା ସଂଗ୍ରାମରେ ଆଗୁଆ କର୍ମୀ ଭାବେ ନିଜକୁ ନିଯୋଜିତ କରିବା ପାଇଁ ଏହି ଆଶ୍ରମରେ ପ୍ରସ୍ତୁତ ହେଉଥିଲେ l ମହାତ୍ମା ଗାନ୍ଧୀ ସ୍ଵାଧୀନତା ସଂଗ୍ରାମ ପରିପ୍ରେକ୍ଷୀରେ ଓଡିଶା ଆସିଥିବା ସମୟରେ ଏହି ସ୍ଵରାଜ ଆଶ୍ରମରେ ରାତ୍ରି ଯାପନ କରିଥିଲେ l ତା’ ପରଦିନ ଅର୍ଥାତ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ସେ ଏଠାରୁ ବାହାରି କାଠଯୋଡି ପଠାରେ ବିଶାଳ ଜନସମୁଦ୍ରକୁ ଉଦବୋଧନ ଦେଇ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେବାପାଇଁ ଆହ୍ଵାନ ଦେଇଥିଲେ l”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ