୩୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ଖଣି ଉପ ନିର୍ଦ୍ଦେଶକ: ଚଢ଼ାଉ ବେଳେ ୪ କୋଟି ଟଙ୍କା ଜବତ
କଟକ, (ଓ୍ବାଇଏନଏସ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି କୋଟିପତି ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି । ତାଙ୍କୁ ଭିଜିଲାନ୍ସ ଟିମ ଆଜି ଭୁବନେଶ୍ବରରୁ ଗିରଫ କରିଛି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଏସପି ସରୋଜ କୁମାର ସାମଲ ଏହି ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦେବବ୍ରତଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା । ପରେ ଦେବବ୍ରତ ମହାନ୍ତିଙ୍କ ୩ଟି ଠିକଣାରେ ଆଜି ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ତଢାଉ ସମୟରେ ତାଙ୍କ ଘରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ସୂଚନା ଅନୁଯାୟୀ, କୋଇଲା ଡିପୋ ଭଲରେ ଚାଲିବା ତଥା ପରିବହନ ପାଇଁ ଅନୁମତି ଦେବା ପ୍ରତିଶ୍ରୁତି ଦେଇ ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ । ଧରା ପଡିବା ପରେ ଭୁବନେଶ୍ୱର ଭିଜିଲାନ୍ସ ଥାନା ପକ୍ଷରୁ ମାମଲା ରୁଜୁ କରାଯିବା ସହ ତାଙ୍କୁ ଅଧିକ ପଚରାଉଚରା ଜାରି ରହିଛି । ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଭୁବନେଶ୍ୱର ଶ୍ରୀବିହାର ନେଚର୍ସ ଆପର୍ଟମେଣ୍ଟ ଫ୍ଲାଟ ନଂ- ୩୦୨ ସ୍ଥିତ ବାସଭବନରେ ଆଜି ଭିଜିଲାନ୍ସ ଟିମ ତଢାଉ କରିଥିଲା । ଜଣେ ଖଣି ଅଧିକାରୀଙ୍କ ଠାରୁ ୪ କୋଟି ଟଙ୍କା ଜବତ ଘଟଣା, ସର୍ବାଧିକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଟଙ୍କା ଏକ ଟ୍ରଲି ବ୍ୟାଗରେ ଏବଂ ଆଲମିରାରେ ଲୁଚାଇ ରଖାଯାଇଥିଲା । ଏହା ବ୍ୟତୀତ ମହାନ୍ତିଙ୍କ ଅଫିସ ଡ୍ରୟରରୁ ଏକ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି । ଏଥିସହିତ ତାଙ୍କ ପୈତୃକ ଘର ଭଦ୍ରକ ମଠସାହିସ୍ଥିତ ଘର ଏବଂ କଟକ ଅଫିସରେ ଚଢାଉ ଜାରି ରହିଛି। ଏସବୁ ବ୍ୟତୀତ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଭୁବନେଶ୍ପର ପାହାଳ ନିକଟରେ ୨୪୦୦ ବର୍ଗଫୁଟର ଏକ ଦୁଇ ମହଲା କୋଠା, ୧୩୦ ଗ୍ରାମର ସୁନା ଅଳଙ୍କାର ଭିଜିଲାନ୍ସ ଠାବ କରିଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନା ପକ୍ଷରୁ ମାମଲା (୧/୨୦୨୬) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଚଢାଉ ଶେଷ ହେବା ପରେ ତାଙ୍କର ସମସ୍ତ ସମ୍ପତ୍ତିର ଆକଳନ କରାଯିବ । ଭିଜିଲାନ୍ସ ପକ୍ଷରୁ ମିଳିଥିବା ଅଧିକ ସୂଚନା ଅନୁଯାୟୀ, ୧୯୬୮ ମେ ୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦେବବ୍ରତ ମହାନ୍ତି ୨୦୦୪ ଅଗଷ୍ଟ ୯ ତାରିଖରେ ବଲାଙ୍ଗୀର ଖଣି କାର୍ଯ୍ୟାଳୟରେ ଜୁନିଅର ମାଇନିଂ ଅଫିସର (ସିନିୟର ସର୍ଭେୟର) ଭାବରେ ଚାକିରି ଆରମ୍ଭ କରିଥିଲେ। ୨୦୦୬ ରୁ ୨୦୦୮ ପର୍ଯ୍ୟନ୍ତ ବାରିପଦା, ୨୦୦୯ ରୁ ୨୦୧୧ ପର୍ଯ୍ୟନ୍ତ ବ୍ରହ୍ମପୁର, ୨୦୧୧ ରୁ ୨୦୧୪ ପର୍ଯ୍ୟନ୍ତ କଟକ ଏବଂ ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ଭୁବନେଶ୍ୱରର ରାଜ୍ୟ ମୁଖ୍ୟାଳୟରେ ସମାନ ପଦବୀରେ କାର୍ଯ୍ୟ କରିଥିଲେ। ସେ ୨୦୧୮ ମାର୍ଚ୍ଚରେ ସହକାରୀ ଖଣି ଅଧିକାରୀ (ମୁଖ୍ୟ ସର୍ଭେୟର) ପଦବୀକୁ ପଦୋନ୍ନତି ପାଇ ସମ୍ବଲପୁରରେ ଯୋଗ ଦେଇଥିଲେ। । ୨୦୨୨ ଏପ୍ରିଲରୁ ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ସେ ଫୁଲବାଣୀରେ ଖଣି ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ । ଫୁଲବାଣୀ ସହିତ ବୌଦ୍ଧ ଏବଂ ନୟାଗଡ ଦାୟିତ୍ୱରେ ମଧ୍ୟ ଥିଲେ ସତ୍ୟବ୍ରତ ।


