ଋଷିକୁଲ୍ୟା ନଦୀରେ ମାଘ ସପ୍ତମୀ ବୁଡ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ
ଆସିକା (ୱାଇଏନ୍ଏସ୍) :ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଆସିକାର ପବିତ୍ର ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳରେ ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁ ପୁରୁଷ ଓ ମହିଳାଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ଭକ୍ତଙ୍କ ସୁରକ୍ଷା ଓ ସୁରକ୍ଷିତ ସ୍ନାନକୁ ଦୃଷ୍ଟିରେ ରଖି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା ଓ ଥାନା ଅଧିକାରୀ କୁଳମଣି ସେଠୀଙ୍କ ନେତୃତ୍ୱରେ ଏକ ପ୍ଳାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ରବିବାର ପ୍ରତ୍ୟୁଷରେ ଶ୍ରଦ୍ଧାଳୁ ଭକ୍ତମାନେ ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳରେ ସ୍ନାନ କରିବା ପରେ ବୁଡ ପକାଇ ଭଗବାନ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଥିଲେ । ମାଘ ସପ୍ତମୀ ତିଥିରେ ପବିତ୍ର ଋଷିକୁଲ୍ୟା ଓ ବଡନଦୀରେ ସଙ୍ଗମସ୍ଥଳରେ ସ୍ନାନ କଲେ ସମସ୍ତ ପାପରୁ ମୁକ୍ତି ମିଳିବା ସହ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ଶ୍ରଦ୍ଧାଳୁ ଭକ୍ତଙ୍କ ଏହି ପବିତ୍ର ତିଥିରେ ବୁଡ ପକାଇ ପାଇଁ ଭିଡ ଜମିଥିଲା । ପବିତ୍ର ଋଷିକୁଲ୍ୟା ନଦୀର ପ୍ରସିଦ୍ଧି ତଥା ଖ୍ୟାତି ଅନନ୍ୟ ଓ ଅତୁଳନୀୟ ସାଙ୍ଗକୁ ପୌରାଣିକ ଏବଂ ଶାସ୍ତ୍ରୀୟ ମହାତ୍ମ୍ୟ ରହିଛି ବୋଲି ଆସିକା ଏନ୍ଏସି ଅଧିନସ୍ଥ ୧୭ ନମ୍ବର ୱାର୍ଡର ଲାଲାଶାସନ ଗ୍ରାମର ବିଦ୍ୱାନ ପଣ୍ଡିତ ତଥା କର୍ମକାଣ୍ଡ ବିଶାରଦ ଦୈତାରୀ ମିଶ୍ର ସୂଚନା ଦେଇଛନ୍ତି । ଭଗବାନ ସୂର୍ଯ୍ୟ ସକଳ ଶକ୍ତିର ଆଧାର ଓ ଭଣ୍ଡାର ହୋଇଥିବାରୁ ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଆସିକାର ପବିତ୍ର ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳରେ ନିଷ୍ଠାର ସହ ସ୍ନାନ କରି ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।


