ଶାସଙ୍ଗ ସମିତିରେ ଖୋଲିଲାନି ଧାନ ମଣ୍ଡି: ପ୍ରତିବାଦରେ ରାସ୍ତାରୋକ କରିବେ ଚାଷୀ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାସଙ୍ଗ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲାନି, ଫଳରେ ଚାଷୀମାନେ ସାତ କିଲୋମିଟର ଦୂର ମରେଇ ଗାଁ ସମିତିରେ ଖୋଲିଥିବା ମଣ୍ଡିକୁ ଧାନ ବିକିବାକୁ ଯାଉଛନ୍ତି। ଫଳରେ ନାନା ସମସ୍ୟାରେ ପଡୁଥିବାରୁ ଏହାର ପ୍ରତିବାଦରେ ଆସନ୍ତା ୧୦ ତାରିଖ ଦିନ ରାସ୍ତାରୋକ କରିବେ ଚାଷୀ। ସେମାନଙ୍କ ଅଭିଯୋଗ ଅନୁଯାଇ ନୂତନ କରି ଗଠିତ ହୋଇଥିବା ଏହି ସମବାୟ ସମିତିରେ ୯ ଶହ ପାଖାପାଖି ଚାଷୀ ସାଦସ୍ୟ ଅଛନ୍ତି। ପୂର୍ବରୁ ଏହି ଚାଷୀମାନେ ମରେଇ ଗାଁ ସମିତିରେ ଥିବାବେଳେ ଅନେକ ଦାବିପରେ ପୂର୍ବ ସରକାର ସମୟରେ ଏହି ନୂତନ ସମିତି ଖୋଲାଯାଇ କାର୍ଯ୍ୟକ୍ଷମ କରୁଛି। ସମିତି ଖୋଲାଯାଇଥିଲେ ମଧ୍ୟ ଏଠାରେ ଧାନ ମଣ୍ଡି କରା ନଯିବାରୁ ଚାଷୀମାନେ ୭/୮ ଦୂର ଧାନ ମଣ୍ଡିକୁ ଧାନ ବିକିବାକୁ ଯିବାରେ ସମସ୍ୟା ସୃଷ୍ଟି ହେଉଥିବାରୁ ବାଧ୍ୟ ହୋଇ ଦଲାଲଙ୍କ ହାତରେ ବହୁ କମ ଦରରେ  ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଚୈତନ୍ୟ ପୁହାଣ, ଭୀମସେନ ନାୟକ, ମନୋରଞ୍ଜନ ନାୟକ, ସୁଧାଂଶୁ ବିଶ୍ୱାଳ, ବାସନ୍ତୀ ବିଶ୍ୱାଳ, ଦେବେନ୍ଦ୍ର କୁମାର ଜେନା, ପ୍ରଶାନ୍ତ ସ୍ୱାଇଁ, ସୁବାସ ନାୟକ, ଘନଶ୍ୟାମ ସା, ରବୀନ୍ଦ୍ର ସାହୁ, ଅକ୍ଷୟ ମଲ୍ଲିକ,  ବିଜୟ ବିଶ୍ୱାଳ, ଅଜିତ ନାୟକଙ୍କ ସମେତ ଶତାଧିକ ଚାଷୀ  ଏନେଇ  କେନ୍ଦୁଝର ଜିଲ୍ଲାପାଳ,  ଜିଲ୍ଲା ସମବାୟ ଉପ ନିବନ୍ଧକ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ମଣ୍ଡି ଖୋଲିବା ନିମନ୍ତେ ନିବେଦନ କରିଥିଲେ। ତିନିମାସ ତଳେ ଉପଖଣ୍ଡ ଯୋଗାଣ ଅଧିକାରୀ, ଆନନ୍ଦପୁର ଏ.ଆର.ସି.ଏସ, ବ୍ଲକ ଯୋଗାଣ ଅଧିକାରୀ ପ୍ରମୁଖ ଶାସଙ୍ଗ ସମବାୟ ସମିତି କାର୍ଯ୍ୟାଳୟ ପରିଦର୍ଶନ କରି ଧାନ କିଣିବା ପରେ ଗଛିତ ରଖାଯିବା ପାଇଁ ପ୍ରସ୍ତାବିତ ଗୃହ ଦେଖି ଉପଯୁକ୍ତ ବ୍ୟବସ୍ଥା ନେଇ ସନ୍ତୋଷ ପ୍ରକାଶ କରିଥିଲେ। ମାତ୍ର ଦିନ ପରେ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଗଲା ନାହିଁ। ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆସନ୍ତା ୧୦ତାରିଖରେ ଆନନ୍ଦପୁର ଭଦ୍ରକ ରାସ୍ତାକୁ ଅବରୋଧ କରି ଆନ୍ଦୋଳନ କରିବେ ବୋଲି ବିଭାଗୀୟ ଉଚ କର୍ତ୍ତୁପକ୍ଷଙ୍କୁ ଜଣାଇ ଦେଇଛନ୍ତି। ଏ ସମ୍ପର୍କରେ ଡିଆରସିଏସ ପର୍ଶୁରାମ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଏହି ସମିତିର ମାତ୍ର ୧୩୨ ଜଣ ଚାଷୀ ମରେଇଗାଁ ଧାନ ବିକିବାକୁ ଚଳିତ ବର୍ଷ ନାମ ପଞ୍ଜିକୃତ କରିଛନ୍ତି। ବର୍ତ୍ତମାନ ସମୟରେ ନୂତନ ମଣ୍ଡି ଖୋଲି ଧାନ କିଣିବା ସମ୍ଭପପର ନୁଁହ। ତେଣୁ ଆସନ୍ତା ବର୍ଷ ନିଶ୍ଚିତ ମଣ୍ଡି ଖୋଲାଯିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ