ଦେବାଦେବୀଙ୍କ ମୂର୍ତ୍ତୀ ଗାଏବ ଘଟଣାକୁ ନେଇ ତେଜିଲା ଅସନ୍ତୋଷ

ହାଟଡିହି(ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପୁରୁଣା ପାଣି, ମଧୁବନ, ଟିଲଗଡିଆ ଆଦି ଗ୍ରାମରୁ ସାନ୍ତାଳୀ ସମ୍ପ୍ରଦାୟର ଜାହେରଗାଲଙ୍କ ପୂଜା ସ୍ଥଳୀରୁ ଦେବାଦେବୀଙ୍କ ମୂର୍ତ୍ତୀ ଗାଏବ କରି ହନୁମାନଙ୍କ ଫଟୋ ରଖିବା ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏନେଇ ସୋସୋ ଥାନାରେ ଅଭିଯୋଗ ହୋଇଥିଲେ ବି ଦେଢ଼ ମାସ ଭିତରେ ପୁଲିସ ଅଭିଯୁକ୍ତ ମାନଙ୍କୁ ଠାବ କରିବାରେ ବିଫଳ ହୋଇଛି। ଯାହାକୁ ନେଇ ଆଜି ହଜାର ଆଦିବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ସେମାନେ ପ୍ରକୃତି ପୂଜକ। ସେଥିପାଇଁ ସେମାନେ ଗଛ, ପାହାଡ଼ କୁ ପୂଜା କରିଥାନ୍ତି। ଗତ ୧୬ ତାରିଖ ରାତିରେ କେହି ଦୁର୍ବୁତ ପୁରୁଣାପାଣିରେ ଥିବା ଜାହେରଗାଲଙ୍କ ପୂଜା ସ୍ଥଳୀରୁ ସାନ୍ତାଳୀ ସମ୍ପ୍ରଦାୟର ଲୋକଙ୍କ ଦ୍ୱାରା ପୂଜା ପାଉଥିବା ଦେବାଦେବୀଙ୍କ ମୂର୍ତ୍ତୀ ଚୋରିକରି ନେଇ ସେଠାରେ ହନୁମାନଙ୍କ ଫଟୋ ରଖି ସାନ୍ତାଳୀ ସମ୍ପ୍ରଦାୟ ଲୋକଙ୍କ ଧାର୍ମିକ ବିଶ୍ୱାସ ଓ ସାଂସ୍କୃତିକ ଭାବନାକୁ ଭାବନାକୁ ଆଘାତ ଦେଇଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ସାନ୍ତାଳୀ ସମ୍ପ୍ରଦାୟର ଲୋକ ମାନେ ଏକଜୁଟ ହୋଇ ବୈଠକ କରିବା ପରେ ସୋସୋ ଥାନାରେ ଅଭିଯୋଗ କରିଥିଲେ। ସୋସୋ ପୋଲିସ ଘଟଣାର ତଦନ୍ତ କରିଥିଲେ ବି ଅଭିଯୁକ୍ତଙ୍କୁ ଠାବ କରିପାରିନି। ଖାଲି ଗୋଟିଏ ସ୍ଥାନରୁ ନୁହେଁ ତିନୋଟି ଗ୍ରାମରୁ ଏପରି କରି ସମାଜରେ ଜାତିଗତ ବିଦ୍ବେଷ ସୃଷ୍ଟି କରି ଶାନ୍ତିପୂର୍ଣ୍ଣ ବାତାବରଣକୁ ନଷ୍ଟ କରିବାର ଏକ ସୁଚିନ୍ତିତ ଓ ହୀନ ପ୍ରୟାସ କରାଯାଇଛି। ଏଥିରେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟକରୁଥିବା କିଛି ସଂଗଠନ ଏପରି କରିଥିବା ସ୍ଥାନୀୟ ଲୋକମାନେ ସନ୍ଦେହ କରୁଛନ୍ତି। ଏହାକୁ ନେଇ ପୂର୍ବରୁ ତିନୋଟି ଜିଲ୍ଲାର ସାନ୍ତାଳୀ ସମ୍ପ୍ରଦାୟର ନେତୃ ସ୍ଥାନୀୟ ଲୋକମାନେ ପୁରୁଣାପାଣି ଠାରେ ଏକଜୁଟ ହୋଇ ‘ଜାହେରଗାଲ ସୁରକ୍ଷା’ ଓ ଶାନ୍ତି ବୈଠକ କରି ଆମ ଧର୍ମ ଆମ ଗର୍ବ ଉପରେ ଆଲୋଚନା କରିବା ସହିତ ଜାତିଗତ ବିଦ୍ବେଷ ସୃଷ୍ଟି କରି ଏ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ବାତାବରଣକୁ ନଷ୍ଟ କରିବାର ଏକ ସୁଚିନ୍ତିତ ଓ ହୀନ ପ୍ରୟାସ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଯଦି ପୋଲିସ ଅଭିଯୁକ୍ତ ମାନଙ୍କୁ ଧରି ପାରୁନି ତେବେ ସିବିଆଇ ତଦନ୍ତ ଦାବି କରାଯାଉ ବୋଲି ଦାବି କରାଯାଇଛି। ଯଦି କୌଣସି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ସାନ୍ତାଳୀ ସମ୍ପ୍ରଦାୟ ର ଲୋକମାନେ ବାଧ୍ୟହୋଇ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର ଆଦି ଜିଲ୍ଲାର ଦୁଇ ହଜାରରୁ ଉର୍ଦ୍ଧ ସାନ୍ତାଳୀ ଲୋକମାନେ ଆନନ୍ଦପୁର ବ୍ରିଜ ଛକ ଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟକୁ ଯାଇ ସେଠାରେ ପ୍ରତିବାଦ କରିବା ସହିତ ୬ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜାହେରଗାଲ ଘଟଣାରେ ଏସ.ଆଇ.ଟି ମାଧ୍ୟମରେ ତଦନ୍ତ, ଦୋଷୀ ମାନଙ୍କୁ ଶୀଘ୍ର ଚି଼ହ୍ନଟ କରି ଆଇନିଗତ ଦଣ୍ଡ ବିଧାନ, ଆଦିବାସୀଙ୍କ ପୂଜାସ୍ଥଳୀଙ୍କୁ ସୁରକ୍ଷା, ଥାନା ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ, ଆଗାମୀ ଜନଗଣନା ପୂର୍ବରୁ ଏସ ଟି ମାନଙ୍କ ପାଇଁ ସ୍ୱତନ୍ତ୍ର ଧର୍ମ କଲମ କୋର୍ଡ ଦିଆଯିବା ଆଦି ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜିର ଏହି ସମାବେଶରେ ମୁକାମ ମାଝୀ ବିକ୍ରମ ହାଁସଦା, ଘାଟ ପରଗାନା ଲକ୍ଷ୍ମଣ କିସ୍କୋ, ଆଦିବାସୀ ଏକତା ମଞ୍ଚର ବିଜୟ ହେମ୍ରମ, ପିଳ ପରଗାନା ଧର୍ମାନନ୍ଦ ମାଝୀ, ବାସୁଦେବ ମାଝୀ, ସବାନ ମୁର୍ମୁ, ସୁନ୍ଦର ହାଁସଦା , ଶ୍ରୀରାମ ମାରାଣ୍ଡି, ନିମୁ ଟୁଡୁ, ରଥିଆ ମାରାଣ୍ଡି, କାପୁରା ମୁର୍ମୁ, ଜାନକୀ ବେଶ୍ରା, ସୀତା ମୁର୍ମୁ, ବିନିତା ମାଝୀ, ଗୋଲାପ ମାଝୀ, ନନ୍ଦିନୀ ସୋରେନ, ସାରଥୀ ହେମ୍ରମ ପ୍ରମୁଖ ନେତୃତ୍ୱ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ