ସୂଚନା ଫଳକରେ ଭୂଲ ବନାନ ଲେଖିବାକୁ ନେଇ ଅସନ୍ତୋଷ ବୃଦ୍ଧି

ଆସିକା (ୱାଇଏନ୍‍ଏସ୍‍): ଓଡିଆ ଅସ୍ମିତା ପାଇଁ ରାଜ୍ୟ ସରକାର ବଜେଟରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । ଆସିକା ଅଞ୍ଚଳରେ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ଆସିକା ପୌର ପରିଷଦ କର୍ତ୍ତୃପକ୍ଷଙ୍କ ମାତୃଭାଷା ପ୍ରତି ଥିବା ଗଭୀର ଜ୍ଞାନ ଓ ଆନ୍ତରିକତାକୁ ପଦାରେ ପକାଇ ଦେଇଛି ବୋଲି ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଯେଉଁ ସରକାର ଓଡିଆ ଅସ୍ମିତାକୁ ନିଜର ମୁଖ୍ୟ ଆୟୁଧ କରୁଛନ୍ତି ସେହି ସରକାରଙ୍କ କେତେକ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ଅତି ସାଧାରଣ ଓଡିଆ ଶବ୍ଦ ମଧ୍ୟ ଭଲ ଭାବରେ ଲେଖିବା ଦିଗରେ ପଦକ୍ଷେପ ନେଉନଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ସଂପର୍କରେ ମିଳିଥିିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ପ୍ରାୟ ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଆସିକା ପୌର ପରିଷଦ ଅଧୀନସ୍ଥ ୮ ନମ୍ବର ୱାର୍ଡର ଅଣୁଜୈବ କେନ୍ଦ୍ର-୨ର ସୁରକ୍ଷା ପ୍ରାଚୀର ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ଥର ଏବଂ ୱାର୍ଡର ନମ୍ବର ୧୮ର ହନୁମାନ ନଗରରେ ସିସି ରାସ୍ତା ସହିତ ସୁରକ୍ଷା ପ୍ରାଚୀର ନିର୍ମାଣ କାର୍ଯ୍ୟର ଭିତ୍ତି ପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଗତ ୨ ଦିନ ତଳେ ଅନୁଷ୍ଠିତ ହୋଇଯାଇଛି । ଆସିକା ସହରର ସର୍ବାଙ୍ଗୀନ ବିକାଶ ପାଇଁ ପୌର ପରିଷଦ ପକ୍ଷରୁ ନିଆଯାଉଥିବା ବହୁବିଧ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିଲା ବେଳେ ସୂଚନା ଫଳକରେ ଭୂଲ ବନାନ ଲେଖିବା ଘଟଣା ଆମ ମାତୃଭାଷା ଓଡିଆ ପ୍ରତି ଏକ ଚରମ ଅବହେଳା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଛି । ପୌର ପରିଷଦ ଅଧୀନସ୍ଥ ୮ ନମ୍ବର ୱାର୍ଡ ଏବଂ ୧୮ ନମ୍ବର ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଭୂଲ ବନାନ ଲେଖି ଲାଗିଥିବା ସୂଚନା ଫଳକ ଲଗାଇବା ପୂର୍ବରୁ କିପରି ଦାୟିତ୍ୱରେ ଥିବା ଅଧିକାରୀ ଜାଣିପାରିଲେ ନାହିଁ ତାହାକୁ ନେଇ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ପୌର ପରିଷଦର କେଉଁ ଅଧିକାରୀ ଆମ ମାତୃଭାଷା ଓଡିଆକୁ ହେୟଜ୍ଞାନ କରି ପ୍ରାଚୀର ଲେଖାକୁ ଏଭଳି ଭୂଲ ବନାନରେ ଲେଖି ସୂଚନା ଫଳକ ସର୍ବସମ୍ମୁଖରେ ଲଗାଇବା ପାଇଁ ସାହସ କଲେ ତାହାର ଏକ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଉଛି । ଯେତେବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଡିଣ୍ଡିମ ପିଟାଯାଉଛି ସେତେବେଳେ ଆସିକା ପୌର ପରିଷଦର ଅଧିକାରୀ ମୌଳିକ ବ୍ୟାକରଣ ଭୁଲି ଭୂଲ ବନାନରେ ସୂଚନା ଫଳର ଲେଖିବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ପରିତାପର ବିଷୟ ବୋଲି ଚର୍ଚ୍ଚା ହେଉଛି । ଓଡିଶାକୁ ଆମେ ଯେମିତି ଭଲ ପାଉଛେ ସେଭଳି ଆମ ମାତୃଭାଷା ଓଡିଆକୁ ଯଦି ଭଲ ପାଇବା ତେବେ ଭାଷାର ପ୍ରସାର ଓ ପ୍ରଚାର ଆହୁରି ରୁଦ୍ଧିମନ୍ତ ହୋଇପାରିବ ବୋଲି ଆଲୋଚିତ ହେଉଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ପୌର ପରିଷଦ ଅଧୀନସ୍ଥ ୮ ଏବଂ ୧୮ ନମ୍ବର ୱାର୍ଡର ଉନ୍ନୟନମୂଳକ କାର୍ଯ୍ୟ ଲାଗି ଭୂଲ ବନାନ ଲେଖି ପ୍ରସ୍ତୁତ ହୋଇଥିବା ସୂଚନା ଫଳକ କିଏ ପ୍ରସ୍ତୁତ କଲା ଓ ସେଥିପାଇଁ ଦାୟୀ କିଏ ତାହାର ଏକ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାଙ୍ଗକୁ ଓଡିଆ ଭାଷାର ମହତ୍ୱକୁ ଗୁରୁତ୍ୱ ଦେଇ ଭୂଲ ବନାନକୁ ସଂଶୋଧନ କରି ନୁଆଁ ସୂଚନା ଫଳକ ଲଗାଇବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ