ରାସ୍ତା ନିର୍ମାଣରେ ବିଳମ୍ବକୁ ନେଇ ବଢୁଛି ଅସନ୍ତୋଷ

ହାଟଡିହି (ବିକାଶ ବିଶ୍ବାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଗୁରୁତ୍ୱପୂର୍ଣ୍ଣ ରାସ୍ତା ଭାବେ ପରିଚିତ ମରେଇଗାଁ ବଳିପୂର୍ ନଦୀବନ୍ଧ ରାସ୍ତା ପାଇଁ ସରକାର ୬୫କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିବା ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆନନ୍ଦପୁର କଲେଜର ବାର୍ଷିକ ଉତ୍ସବରେ ଘୋଷଣା କରିଥିଲେ। ଆଶା କରାଯାଉଥିଲା କି ମାସେ ଦୁଇମାସ ଭିତରେ ଟେଣ୍ଡର କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। କିନ୍ତୁ ଆଜି ପର୍ଯ୍ୟନ୍ତ ଟେଣ୍ଡର କରାଯାଇ ନଥିବାରୁ ରାସ୍ତା ନିର୍ମାଣ ବିଳମ୍ବ ହେବା ନିଶ୍ଚିତ। ଏହି ରାସ୍ତା ଉପରେ ଓରାଳି, ଇଞ୍ଚୋଳ, ଶାଳଣିଆଁ, ଡଅଁର, ଗେଡମା, ଆଇତିପୁର, ସଡ଼ଙ୍ଗ ଆଦି ପଞ୍ଚାୟତର ୫୦ ରୁ ଉର୍ଦ୍ଧ ଗ୍ରାମର ଗ୍ରାମବାସୀ ମାନେ ନିର୍ଭର କରିଥାନ୍ତି। ଏପରିକିି ପଡୋଶୀ ଭଦ୍ରକ ଜିଲ୍ଲାର ଅନେକ ପଞ୍ଚାୟତର ଲୋକମାନେ ନିର୍ଭରଶୀଳ। ୧୯ କିଲୋମିଟର ଲମ୍ବ ଏହି ରାସ୍ତାର ନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ୧୭କୋଟି ଟଙ୍କା ଖର୍ଚ୍ଚ କରିବା ପରେ ଦିନ କେଇଟା ଭିତରେ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା।  ଏନେଇ ଗଣ ମାଧ୍ୟମରେ ବାରମ୍ଵାର ଖବର ପ୍ରକାଶ ପାଇବା ପରେ  ଜିଲ୍ଲାପ୍ରଶାସନ ରାସ୍ତା ଟିକୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରି ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲା। ଏପରିକି ତତ୍କାଳୀନ ବିଧାୟକ ଭାଗିରଥି ସେଠୀ ଓ ବର୍ତ୍ତିମାନର ବିଧାୟକ ଅଭିମନ୍ୟୁ ସେଠୀ ବିଧାନସଭାରେ ପ୍ରଶ୍ନ କରିବା ସହିତ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ବିଜେପି ନେତା ଆଲୋକ ସେଠୀ ମଧ୍ଯ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଏହି ରାସ୍ତାଟି ନିର୍ମାଣ କରିବାକୁ ଦାବି କରିଥିଲେ। ପ୍ରଶାସନ ଏହି ରାସ୍ତାଟିକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପାଇଁ ସୁପାରିଶ କରିବା ସହିତ ଓମବାଡ଼ସି ଅନୁଦାନରେ ୬୫କୋଟି ୯୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ କରିବାକୁ ସରକାର ଯୋଜନା କରିଥିଲେ। ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଆସିଥିବା ବେଳେ ଏହି ରାସ୍ତା ନିର୍ମାଣ ପାଇଁ ୬୫କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିବା ଘୋଷଣା କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାମ ଆଗେଇ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ରାସ୍ତା ସାରା ଖାଲଖମାରେ ପୁରି ଉଠି ଥିବାରୁ ସାମାନ୍ୟ ବର୍ଷା ହେଲେ ଯାତାୟତ ବନ୍ଦ ହୋଇ ଯାଉଛି। ଶାଳଣିଆ ଡାକ୍ତରଖାନା ଆସିବାକୁ ଏହି ଗୋଟିଏ ରାସ୍ତା ଉପରେ ଲୋକମାନେ ନିର୍ଭର କରୁଥିବା ବେଳେ ରାସ୍ତାର ଅବସ୍ଥା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ସହିତ ବାଲି ବୋଝେଇ ଭାରିଯାନ ଚଳା ଚଳ କରୁଥିବାରୁ ସାଧାରଣ ଲୋକଙ୍କ ଯିବା ଆସିବା ବନ୍ଦ ହୋଇଗଲାଣି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ  ସେ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ଏହା ଜଳ ସମ୍ପଦ ବିଭାଗ ଅଧୀନରେ ଅଛି। ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇ ନଥିବାରୁ ଆମେ କିଛି କହିପାରିବୁନି ବୋଲି କହିଛନ୍ତି। ମୂଖ୍ୟମନ୍ତ୍ରୀ ଏଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ