ପେନସନର୍ସମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧେ ଆଲୋଚନା
ଭୁବନେଶ୍ୱର(ଓ୍ବାଇଏନଏସ) : ରାଜ୍ୟ ସରକାର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ଓ ମାନସିକ ଶକ୍ତି ବୃଦ୍ଧି କରିବା ନିମନ୍ତେ କୌଣସି ପଦକ୍ଷେପ ନେଉନାହାଁନ୍ତି। ପରିତାପର ବିଷୟ ସମଗ୍ର ଦେଶରେ ୨୩ଟି ରାଜ୍ୟ କେନ୍ଦ୍ର ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚିକିତ୍ସା ଭତ୍ତା, ଚିକିତ୍ସା ବୀମା ପାଇଁ ଯେଉଁ ନିୟମ ପ୍ରଚଳନ ହୋଇଛି ସେହି ନିୟମ ଆମ ରାଜ୍ୟରେ ପ୍ରଚଳନ କରାଯାଉ ନାହିଁ। ସାମାଜିକ ସୁରକ୍ଷା ଓ ପେନସନଭୋଗୀମାନେ ସୁଖ ଓ ଶାନ୍ତିରେ ରହିବା ନିମନ୍ତେ ରାଜ୍ୟ ସରକାର କୌଣସି ନିୟମ ଜାରି କରିନାହାଁନ୍ତି। ଅପର ପକ୍ଷରେ ଆନ୍ଧ୍ର ସରକାର ମୃତ୍ୟୁକାଳୀନ ସହାୟତା ୧୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଆମ ରାଜ୍ୟରେ ମାନ୍ୟବର ବିଧାୟକ, ବିଚାରାଳକର୍ମଚାରୀମାନଙ୍କ ମାସିକ ୨ ହଜାର ଟଙ୍କା ଚିକିତ୍ସା ଭତ୍ତା ପ୍ରଦାନ କରାଯାଉଥିବା ବେଳେ ଶିକ୍ଷକ କର୍ମଚାରୀମାନଙ୍କୁ ଉପେକ୍ଷା କରାଯାଉଛି। ଅନ୍ୟ କେତେକ ରାଜ୍ୟରେ ୫ ଲକ୍ଷ ଟଙ୍କା ଚିକିତ୍ସା ବୀମା ପ୍ରଦାନ କରାଯାଉଛି। ଆମ ରାଜ୍ୟର ପେନସନର୍ସ ମାନଙ୍କ ସମୂହ ଦାବି ଯଥା : କେନ୍ଦ୍ର ଅନୁରୂପ ଚିକତ୍ସା ଭତ୍ତା ଓ ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇଦେବା, ଅତିରିକ୍ତ ପେନସନ ପ୍ରତି ୫ ବର୍ଷରେ ଅର୍ଥାତ୍ ୬୫ ବର୍ଷରୁ ୫ % ହାରରେ ଲାଗୁ କରିବା, କମ୍ପ୍ୟୁଟେସନ ଅବଧି ୧୫ ବର୍ଷରୁ ୧୦ ବର୍ଷ ୮ ମାସକୁ ହ୍ରାସ କରିବା, କରୋନା ସମୟରେ ୨୦୨୦ ମସିହା ଜାନୁଆରୀ ଠାରୁ ୨୦୨୧ ଜୁନ୍ ପର୍ଯ୍ୟନ୍ତ ୧୮ ମାସର ବକେୟା ମହଙ୍ଗା ଭତ୍ତା ପ୍ରଦାନ କରିବା, ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ପୂର୍ବଭଳି ରିହାତି ଯୋଗାଇ ଦେବା, ନୂଆ ପେନସନ ଯୋଜନା (ଏନ୍ପିଏସ୍ / ୟୁପିଏସ୍)କୁ ବାତିଲ୍ କରି ପୁରୁଣା ପେନସନ ପ୍ରଚଳନ କରିବା ଇତ୍ୟାଦି। ଏଣୁ ଆଗାମୀ ଦିନରେ ରାଜ୍ୟ ଓ ଜିଲ୍ଲା ପେନସନର ମାନଙ୍କୁ ନେଇ ଆଲୋଚନା କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ।