ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା, ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ତଳେ ଶୋଇଛନ୍ତି ମହିଳା
ନାଉଗାଁ,(ଓ୍ବାଇଏନଏସ):ପରିବାର ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ପରିବାର ନିୟନ୍ତ୍ରଣର ଯେତେ ପ୍ରକାର ସୁବିଧା ରହିଛି ସେଥିମଧ୍ୟରୁ ମହିଳା ବନ୍ଧ୍ୟାକରଣ ଅନ୍ୟତମ। ଏହି ପରିପେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଧବାର ପରିବାର ନିୟନ୍ତ୍ରଣ ପାଇଁ ମହିଳାମାନଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ମହିଳାମାନେ ୱାର୍ଡରେ ତଳେ ଶୋଇଥିବାର ଦେଖିବାକୁ ମିଳିଥିଲା। ଅସ୍ତ୍ରୋପଚାର ପରେ ପରିଷ୍କାର,ପରିଛନ୍ନ ଓ ସ୍ୱାସ୍ଥ୍ୟକର ସ୍ଥାନରେ ମହିଳାମାନଙ୍କୁ ରଖିବା କଥା। କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ସ୍ଥାନରେ ତଳେ ଏକ ପାଲ ପକାଯାଇ ଯେପରି ଶୋଇ ରହିଥିଲେ, ତାହା ସ୍ୱାସ୍ଥ୍ୟ କେନ୍ଦ୍ରର ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟାକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି କୌଣସି କାରଣବଶତଃ ଅସ୍ତ୍ରୋପଚାର ହୋଇଥିବା ମହିଳାଙ୍କର କିଛି ଅସୁବିଧା ହୁଏ ତେବେ କିଏ ଦାୟୀ ରହିବେ? ଅସ୍ତ୍ରୋପଚାର ପରେ ମହିଳାମାନଙ୍କୁ ବେଡରେ ନ ରଖି ତଳେ କ’ଣ ପାଇଁ ଶୋଇ ରହିଥିଲେ ତାହା ତଦନ୍ତ ସାପେକ୍ଷ। ସୂଚନାଯୋଗ୍ୟ ଯେ ଆଜି ବ୍ଳକର ବିଭିନ୍ନ ପଂଚାୟତରୁ ୧୭ଜଣ ମହିଳାଙ୍କୁ ପରିବାର ନିୟନ୍ତ୍ରଣ ଯୋଜନାରେ ସାମିଲ କରାଯାଇଛି। ସରକାରଙ୍କ ତରଫରୁ ପ୍ରତି ମହିଳାଙ୍କୁ ଗ୍ରସ୍ତ ଖର୍ଚ୍ଚ ଓ ପ୍ରୋତ୍ସାହନ ରାଶି ବାବଦକୁ ୧ ହଜାର ୬୫୦ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଅସ୍ତ୍ରୋପଚାର କେବଳ ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଯାଉଛି। ଯାହା ଦ୍ୱାରା ଅସ୍ତ୍ରୋପଚାର ପରେ ମହିଳାମାନେ ଆରାମରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ରାମ ନେବେ। ଯଦି କିଛି ସ୍ୱାସ୍ଥ୍ୟଜନିତ ଅସୁବିଧା ଦେଖାଦିଏ ତେବେ ସେମାନେ ଏହି କେନ୍ଦ୍ରରେ ଚିକିତ୍ସିତ ହୋଇପାରିବେ। ଅସ୍ତ୍ରୋପଚାର ପରେ ତଳେ ଶୋଇବା ଓ ଉକ୍ତ ସ୍ଥାନରେ ଖାଲି ପାଦରେ ଅନ୍ୟମାନେ ଚାଲିବା ଦ୍ୱାରା ପାଦ ଧୂଳି ପଡି ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କେବଳ ଉକ୍ତ ଦିନ ନୁହେଁ ପୂର୍ବରୁ ଯେତେ ଥର ଅସ୍ତ୍ରୋପଚାର କରାଯାଇଛି ମହିଳା ମାନଙ୍କୁ ତଳେ ଶୁଆନ୍ତି ବୋଲି କେତେକ ଆଶା କର୍ମୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏପରିକି ଅପରେସନ ଦିନ ୱାର୍ଡରେ ବେଡ ପଡିବା ପରିବର୍ତେ ବେଡ ଗୁଡିକୁ ବାହାର କରାଯାଇ ୱାର୍ଡକୁ ଖାଲି କରାଯାଇଥିବାର ଦେଖିବାକୁ ମିଳିଥିଲା। ଏବିଷୟରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା. ଚିଦାନନ୍ଦ ପଣ୍ଡାଙ୍କୁ ପଚାରିବାରେ ମହିଳାମାନଙ୍କୁ ଅସ୍ତ୍ରୋପଚାର ପରେ ବେଡରେ ରଖାଯିବା କଥା କିନ୍ତୁ କାହିଁକି ତଳେ ରଖା ଯାଇଛି ବୁଝୁଛି ବୋଲି କହିଥିଲେ।


