କ୍ରୋମାଇଟ୍ ପରିବହନକୁ ନେଇ ଦୁଇ ଟ୍ରକ ମାଲିକ ସଂଘ ମଧ୍ୟରେ ବିବାଦ
ହାଟଡିହି (ଓ୍ବାଇଏନଏସ): ବାଙ୍ଗୁର ସ୍ଥିତ ଓଏମସି ଖଣିରୁ କ୍ରୋମାଇଟ୍ ପରିବହନକୁ ନେଇ ଦୁଇ ଟ୍ରକ ମାଲିକ ସଂଘ ମଧ୍ୟରେ ବିବାଦ ଦେଖା ଦେଇଛି। ପୂର୍ବରୁ ବଉଳା ଟ୍ରକ୍ ମାଲିକ ସଂଘ ଦ୍ୱାରା ପରିବହନ ହେଉଥିବା ବେଳେ ଖଣିଟି ଯେହେତୁ ବାଙ୍ଗୋର ଏଵଂ ଧନୂର୍ଜୟପୂର ପଞ୍ଚାୟତରେ ଅଛି ତେଣୁ ଏହି ଦୁଇ ପଞ୍ଚାୟତର ଟ୍ରକ୍ ମାଲିକ ମାନେ ଅଧିକ ଲୋଡିଂ ଦାବି କରିଥିଲେ। ଏହାକୁ ନେଇ ମାଲିକ ମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ଦୀର୍ଘ ମାସ ହେଲା କ୍ରୋମାଇଟ ପରିବହନ ବନ୍ଦ ଥିଲା। ମାତ୍ର ଗତ ମାସରେ ଖଣି କର୍ତୁପକ୍ଷ ବଉଳା ଟ୍ରକ୍ ମାଲିକ ସଂଘକୁ ପରିବହନ ପାଇଁ ଜଣାଇବା ପରେ ବଉଳା ଟ୍ରକ୍ ମାଲିକ ସଂଘର ସଦସ୍ୟ ମାନେ ପରିବହନ ପାଇଁ ଟ୍ରକ୍ ପଠାଇବା ବେଳକୁ ବଙ୍ଗୋର ଓ ଧନୂର୍ଜୟପୂର ପଞ୍ଚାୟତର ମାଲିକ ମାନେ ବିରୋଧପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥଲା। ପରିବହନ ବନ୍ଦ ହୋଇଥିଲା। ପରବର୍ତ୍ତୀ ସମୟରେ ବଉଳା ଟ୍ରକ୍ ମାଲିକ ସଂଘର ସଦସ୍ୟ ମାନେ ତୁରନ୍ତ ପରିବହନ କରାଇବା ଦାବିରେ ଓଏମସି ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଏହାରି ଭିତରେ ବଙ୍ଗୋର ଓ ଧାନୂର୍ଜୟପୂର ପଞ୍ଚାୟତର ମାଲିକ ମାନେ ବାଙ୍ଗୁର ରିଜିଓନାଲ ଟ୍ରକ୍ ଓନର୍ସ ଆସୋସିଏସନ୍ ନାମରେ ଏକ ସଂଘ ପଞ୍ଜୀକୃତ କରି କ୍ରୋମାଇଟ୍ ପରିବହନ ପାଇଁ ଅନୁମତି ପାଇଛନ୍ତି। ଯାହାକୁ ବଉଳା ଟ୍ରକ୍ ମାଲିକ ସଂଘ ବିରୋଧ କରିଥିଲା। ବଉଳା ସଂଘର ମାଲିକ ମାନେ ବାଙ୍ଗୋରରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଆଜି ବ୍ୟାପକ ପୁଲିସ ଫୋର୍ସ ମୃତୟନ କରାଯାଇ ଥିଲା। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାବେଳେ ଆନନ୍ଦପୁର ଏସଡିପିଓ ପ୍ରସାନ୍ତ କୁମାର ବେହେରା, ସୋସୋ ଏବଂ ନନ୍ଦିପଦା ଥାନା ଆଇଆଇସି ପ୍ରମୁଖ ଉଭୟ ସଂଘର କର୍ମକର୍ତ୍ତା ମାନଙ୍କୁ ଡ଼ାକି ଆପୋଷ ବୁଝାମଣା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ବାଙ୍ଗୁର ରିଜିଓନାଲ ଟ୍ରକ୍ ଓନର୍ସ ଆସୋସିଏସନକୁ ଆଜିର ଲୋଡିଂ ଦିଆ ଯାଇଥିବା ବେଳେ ଆଗାମୀ ଦିନରେ ଉଭୟ ସଂଘର କର୍ମକର୍ତ୍ତା ମାନେ ବସି ଆଲୋଚନା କରିବା ପରେ ପରିବହନ କରାଯିବ ବୋଲି ନିଷ୍ପତି ହୋଇଥିବା ଜଣାପଡ଼ିଛି।