ଆୟୁଷ୍ମାନ୍ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ
ଆସିକା (ୱାଇଏନ୍ଏସ୍) ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ନୁଆଁ ଏକକ କାର୍ଡର ବିତରଣ ଓ ଆୟୁଷ୍ମାନ୍ ବୟୋ ବନ୍ଦନା ଯୋଜନାର ଲୋକାର୍ପଣ କାର୍ଯ୍ୟକ୍ରମ ଗତ ଏପ୍ରିଲ ମାସ ୧୧ ତାରିଖରେ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ବୁଧବାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବାଣିବିହାର ସ୍ଥିତ କଲ୍ୟାଣ ମଣ୍ଡପ, ଏନ୍ଏସି କାର୍ଯ୍ୟାଳୟ ଓ ତାଲୁକା ଛକ କଲ୍ୟାଣ ମଣ୍ଡପ ପରିସରରେ ଆୟୁଷ୍ମାନ୍ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ମେଳା, ରାସନ୍ କାର୍ଡ ବଣ୍ଟନ ମେଳା, ବର୍ଦ୍ଧିତ ଭତ୍ତା ବଣ୍ଟନ ମେଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) କାର୍ଯ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ୍ କୁମାର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାଧନାରେ ଅନୁଷ୍ଠିତ ଏହି ଜନହିତକର ଓ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀ ଯୋଗଦେଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହି ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଆସିକା ଏନ୍ଏସି ଅଞ୍ଚଳର ବିଭିନ୍ନ ସାହିବସ୍ତିର ପ୍ରାୟ ୬୦୦ ଜଣ ଯୋଗ୍ୟ ହିତାଧିକାରୀମାନଙ୍କୁ ଆୟୁଷ୍ମାନ୍ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରି ରାଜ୍ୟବାସୀଙ୍କ ସକାଶେ ଉନ୍ନତ ଚିକିତ୍ସା ସୁୂବିଧାକୁ ସୁନିଶ୍ଚିତ କରିବା ନିମନ୍ତେ ଓଡିଶାରେ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ଆୟୁଷ୍ମାନ୍ ବୟୋ ବନ୍ଦନା ଯୋଜନା କାର୍ଯ୍ୟକାରୀ ହେବା ପରେ ଓଡିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଯୁଗର ଶୁଭାରମ୍ଭ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ୯୦ ଜଣ ନୂତନ ହିତାଧିକାରୀଙ୍କୁ ରାସନ୍ କାର୍ଡ, ୫୧ ଜଣ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା, ୨୨ ଜଣ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)ରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଆସିକା ଏନ୍ଏସି ପକ୍ଷରୁ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀଙ୍କ ପୁଷ୍ପଗୁôଚ୍ଛ ଓ ଉପଢୌକନ ପ୍ରଦାନ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍ଗୋପାଳ ବେହେରା, ଯୋଗାଣ ନୀରିକ୍ଷକ ସର୍ମିଷ୍ଠା ଦଳବେହେରା, ଏନ୍ଏସି କାଉନସିଲର ସରୋଜ କୁମାର ଭଂଜ, ରାଘବ ସିୟ, ରୀନା ବେହେରା, ଦୁର୍ଗାବାଇ ବୈଠାରୁ, ଆସିକା ଏନ୍ଏସିର ଗୋଷ୍ଠୀ ସଂଗଠିକା ମାନସୀରାଣୀ ସାହୁ, ଏନ୍ଏସି କର୍ମଚାରୀ ବି.ସନ୍ଦୀପ ରାଓ, ରାଜେନ୍ଦ୍ର କୁମାର ମିଶ୍ର, ହରଜିତ୍ ସାଠୁଆ, ଇଂ ଲକ୍ଷ୍ମୀ ସିଂ, ଜଗନ୍ନାଥ ବାଡତ୍ୟା, ଅଜିତ୍ କୁମାର ପଟ୍ଟନାୟକଙ୍କ ସମେତ ବହୁ କାଉନସିଲର୍, ଏନ୍ଏସି କର୍ମଚାରୀ, ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।