କୋଣାର୍କ କଲ୍ୟାଣ ମଣ୍ଡପରେ ମନ୍ତ୍ରୀଙ୍କ ଦ୍ଵାରା ପଟ୍ଟା ଓ ଭତ୍ତା ବଣ୍ଟନ
ପୋଲସରା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର କୋଣାର୍କ କଲ୍ୟାଣ ମଣ୍ଡପ ରେ ଜୁନ ୨୯ ତାରିଖ ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପଟ୍ଟା ଓ ଭତ୍ତା ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ସଙ୍ଗିତା ବେହେରା ଅଧ୍ୟକ୍ଷତା କରିଥିବା ବେଳେ ତହସିଲଦାର ଦୀପ୍ତିମୟୀ ପାତ୍ର, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା ଓ ସାଂସଦ ପ୍ରତିନିଧି ସୀମାଞ୍ଚଳ ସାହୁ, ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା ଓ ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ ଏବଂ କାଉନସିଲର ବୃନ୍ଦ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ପୋଲସରା ତହସିଲ ଅନ୍ତର୍ଗତ ବ୍ଲକ ଓ ଏନଏସି ର ୧୪୩ ଜଣଙ୍କୁ ଗ୍ରାମ କଣ୍ଟକ ପଟ୍ଟା ଓ ଜଙ୍ଗଲ ଜମି ଅଧିଗ୍ରହଣ ନିୟମ ପ୍ରକାରେ ୧୦ ଜଣଙ୍କୁ ମନ୍ତ୍ରୀ ଶ୍ରୀ ମଳିକ ପଟ୍ଟା ବଣ୍ଟନ କରିଥିଲେ। ଏଥିସହ ପୋଲସରା ଏନଏସିର ୯୦ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୪୦ ଜଣଙ୍କୁ ରାସନ କାର୍ଡ, ୧୦୨ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ, ପିଏମଏଫଏମଇ ଯୋଜନାରେ ଏନଏସିର ୧୪ ନମ୍ବର ୱାର୍ଡ ନୁଆଁ ସାହିର ମା ସନ୍ତୋଷି ମହିଳା ଗୃପକୁ ୩ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ଏହି ଅବସରରେ ପୋଲସରା ଏନଏସିରେ ୪.୯୮ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ୩୯ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ହିତାଧିକାରୀ ବୃନ୍ଦ, ଏନଏସି କର୍ମଚାରୀ ବୃନ୍ଦ ଓ ଜନସାଧାରଣ ଉପସ୍ଥିତ ଥିଲେ।