ଜିଲ୍ଲା ପ୍ରଶାସନ ପକ୍ଷରୁ “ଦାନ ପୁସ୍ତକ ଗ୍ରହଣ ଶିବିର”ର ଆୟୋଜନ
କଟକ (ଓ୍ବାଇଏନଏସ): ଐତିହାସିକ ବାଲିଯାତ୍ରା କଟକ ୨୦୨୫ ଅବସରରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ସାଧାରଣ ପାଠକମାନଙ୍କୁ ନିଃଶୁଳ୍କ ପୁସ୍ତକ ପ୍ରଦାନ ନିମନ୍ତେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ପ୍ରକ୍ରିୟାରେ ସାମିଲ ହେବାକୁ ଚାହୁଁଥିବା ଆଗ୍ରହୀ ବ୍ୟକ୍ତି/ଅନୁଷ୍ଠାନଙ୍କ ନିକଟରୁ ପୁସ୍ତକ ଦାନ ଆକାରରେ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିନିମନ୍ତେ ଏକ ସ୍ଵତନ୍ତ୍ର ଅଭିଯାନ ସ୍ୱରୂପ ଚଳିତ ବର୍ଷ ଦୀପାବଳିଠାରୁ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ପର୍ୟ୍ୟନ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସର, କଟକ ମହାନଗର ନିଗମ ପରିସର, ନେତାଜୀ ବସ ଟର୍ମିନାଲ ଓ ବାରବାଟୀ ପ୍ୟାଲେସଠାରେ ପୂର୍ବାହ୍ନ ୧୦ ଘଟିକାଠାରୁ ଅପରାହ୍ନ ୨ ଘଟିକା ପର୍ୟ୍ୟନ୍ତ ପୁସ୍ତକ ଗ୍ରହଣ କରିବା ନିମନ୍ତେ ଶିବିର କାର୍ୟ୍ୟକ୍ଷମ ରହିବ। ଏହି ମହତ ଉଦ୍ଦେଶ୍ୟ ପାଇଁ ପୁସ୍ତକ ଦାନ କରିବାକୁ ଚାହୁଁଥିବା ଦାତାମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯିବ।