ମହିଳା ସୁରକ୍ଷା ନେଇ ଜିଲା ଓକିଲ ସଂଘର ଏସ୍ପିଙ୍କୁ ଦାବିପତ୍ର
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲାର ଆଇନଶୃଙ୍ଖଳା ସୁଧାରିବା ପାଇଁ ଜିଲା ଓକିଲ ସଂଘ ପକ୍ଷରୁ ଏସ୍ପିଙ୍କୁ ଦାବିପତ୍ର ଦିଆଯାଇଛି। ଜିଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତଙ୍କ ନେତୃତ୍ୱରେ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟାମାନେ ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକରଙ୍କୁ ଭେଟି ପଣ୍ଡାପଡ଼ା ଥାନା ଅଧୀନରେ ଘଟିଥିବା ଗଣବଳାତ୍କାର ଓ ହତ୍ୟା ଘଟଣାରେ ୪ ଜଣଙ୍କୁ ଗିରଫ କରିଥିବା ନେଇ ପୁଷ୍ପଗୁଚ୍ଛ ଦେଇ ଧନ୍ୟବାଦ ପ୍ରଦାନ କରି ଆଲୋଚନା କରିଥିଲେ। ବିଶେଷକରି ଉକ୍ତ ଘଟଣାର ତଦନ୍ତ ଶୀଘ୍ର ସାରି ଚାର୍ଜଶିଟ୍ ଦାଖଲ କରିବା ପାଇଁ ପଣ୍ଡାପଡ଼ା ଥାନାଧିକାରୀ ଆଦେଶ କରି ଦୋଷୀମାନେ କିପରି ଦଣ୍ଡ ପାଇବେ ଓ ଏହାର ବିଚାର ଫାଷ୍ଟ ଟ୍ରାକ୍ ସତନ୍ତ୍ର କୋର୍ଟରେ ତ୍ୱରାନିତ ହେବ ସେ ନେଇ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ। ଆଗକୁ ରଥ ଯାତ୍ରା ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ସହର ତଥା ସହର ଲାଗିଥିବା ଗ୍ରାମାଞ୍ଚଳ ତଥା ପର୍ଯ୍ୟଟନସ୍ଥଳୀରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ପାଟ୍ରୋଲିଂ ବ୍ୟବସ୍ଥା ତ୍ୱରାନିତ କରିବା ପାଇଁ ଉପସଭାପତି ଭାରତ ଭୂଷଣ ଦାସ ଦାବି କରିଥିଲେ। ସେହିପରି ଏହା ମୁଖ୍ୟମନ୍ତ୍ରୀଙ୍କ ଜିଲା ହୋଇଥିବାରୁ ନାରୀମାନଙ୍କ ପ୍ରତି ଅଧିକ ସୁରକ୍ଷା ଦେବା ସହ ଏକ ହେଲ୍ପଲାଇନ୍ ସେବା ବ୍ୟବସ୍ଥା ଜାରି କରିବା ପାଇଁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ଆଲୋକ ମହାନ୍ତ, ଉପସଭାପତି ଭାରତ ଭୂଷଣ ଦାସ, ସମ୍ପାଦକ ଅକ୍ଷୟ କୁମାର ଜେନା, ଯୁଗ୍ମ ସଂପାଦକ ହୁସେନ ଉଦିନ, କାର୍ଯ୍ୟକାରୀ ସଦସ୍ୟ ସୁବ୍ରତ କୁମାର ସେଠୀ, ଅର୍ଚ୍ଚନା ଦାସଙ୍କ ସମେତ ବହୁ ସଦସ୍ୟସଦସ୍ୟା ଉପସ୍ଥିତ ଥିଲେ। ଏସ୍ପି କେନ୍ଦୁଝର ସେମାନଙ୍କ ପୁଷ୍ପଗୁଚ୍ଛ ଗ୍ରହଣ କରିବା ସହ ଦାବି ଉପରେ ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କହିଛନ୍ତି।