ହାଟଡ଼ିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ହେବାକୁ ଥିବା ବେଳେ ଜିଲ୍ଲାପାଳ କି ଏସ ପି କାର୍ଯ୍ୟକ୍ରମକୁ ନ ଆସିବାରୁ ଫିକା ପଡିଥିଲା ଶୁଣାଣି। ଏହି ଅଭିଯୋଗ ଶୁଣାଣି ପାଇଁ ଶହ ଶହ ଲୋକଙ୍କ ସମାଗମ ହୋଇଥିବା ବେଳେ ଜିଲ୍ଲାପାଳ ଆସୁନଥିବା ଜାଣି ଅନେକ ଲୋକ ଅଭିଯୋଗ ନକରି ଫେରିଯାଇଥିବା ଦେଖିବାକୁ ମିଳିଥିଲା। ହାଟଡ଼ିହି ବ୍ଲକର ବିଡିଓ ରଞ୍ଜନ କୁମାର ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ, ଅତିରିକ୍ତ ଏସ.ପି ସହ୍ନେହାଶିଷ ସାହୁ ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ଏସ୍ଡ଼ିପିଓ ପ୍ରଶାନ୍ତ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିନୋଦ ବିହାରୀ ମିଶ୍ର ପ୍ରମୁଖ ଯୋଗଦେଇ ୧୪୦ଟି ଅଭିଯୋଗର ଶୁଣାଣି କରିଥିଲେ। ୩ ମାସ ଅନ୍ତରରେ ଏହି ଶୁଣାଣି ହେଉଥିବାରୁ ବହୁ ଦୁର ଦୁରାନ୍ତରୁ ଶହ ଶହ ଲୋକ ନିଜ ନିଜର ଅଭିଯୋଗ ନେଇ ଧାଇଁ ଆସିଥିଲେ ବି ଜିଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ କରି ଅନେକ ଲୋକ ଫେରିଯାଇଥିଲେ। ଆଜିର ଅଭିଯୋଗ ଶୁଣାଣିରେ ଭତ୍ତା, ରେସନ ସାମଗ୍ରୀ ବଣ୍ଟନ, ବିଦ୍ୟାଳୟ ସମସ୍ୟା, ଗ୍ରାମୀଣ ଆବାସ ସଂକ୍ରାନ୍ତୀୟ ଅଭିଯୋଗ, ମନରେଗା ଯୋଜନା ସଂକ୍ରାନ୍ତୀୟ ଅଭିଯୋଗ, ରାଜସ୍ଵ ବିଭାଗର ସମସ୍ୟା , ରାସ୍ତା ସମସ୍ୟା ଆଦି ଅଭିଯୋଗ ମାନ ଆସିଥିଲା। ନୂଆଗାଁ ଗ୍ରାମକୁ ରାଜସ୍ଵ ଗ୍ରାମର ମାନ୍ୟତା ପ୍ରଦାନ ପାଇଁ ନୂଆଗାଁ ଗ୍ରାମବାସୀ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସମସ୍ତ ତଥ୍ୟ ସହିତ କୋର୍ଟ ରାୟର ଦସ୍ତାବିଜ୍ ପ୍ରଦାନ କରିଥିଲେ ବି ରାଜସ୍ଵ ଗ୍ରାମ ଘୋଷଣାରେ କାହିଁକି ବିଳମ୍ବ ଘଟୁଛି ବୋଲି ଅଭିଯୋଗ କରିଛନ୍ତି। ସେହିପରି ବଞ୍ଚୋ ଗ୍ରାମରେ କିଛି ବ୍ୟକ୍ତି ରାସ୍ତା ଜବର ଦଖଲ କରିଥିବାରୁ ଗ୍ରାମବାସୀ ମାନେ ଅସୁବିଧା ଭୋଗୁଛନ୍ତି ବୋଲି ସରପଞ୍ଚଙ୍କ ସମେତ ଗ୍ରାମବାସୀ ମାନେ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ମରେଇଗାଁ – ବଳିପୁର ରାସ୍ତା ନିର୍ମାଣରେ ସରକାର ଅହେତୁକ ବିଳମ୍ୱ ଘଟାଉ ଥିବାରୁ ସାତଟି ପଞ୍ଚାୟତର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ନେଇ ନନ୍ଦିପଦା ଗ୍ରାମର ସମାଜସେବୀ ଭଗବାନ ରାଉତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ରାସ୍ତା ନିର୍ମାଣ ଲାଗି ପଦକ୍ଷେପ ନେବାକୁ ଜଣାଇଥିଲେ। ଏହି ଶିବିରରେ ତହସିଲଦାର ଶିବବ୍ରତ ତ୍ରିପାଠୀ, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡା, ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ମାନସ ରଞ୍ଜନ ପରିଡ଼ା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିମା ଦଣ୍ଡପାଟ, ହଦଗଡ଼ ବନାଞ୍ଚଳ ଅଧିକାରୀ ମାର୍ଶାଲ କିସ୍କୁ, ହାଟଡ଼ିହି ବ୍ଲକ ଶିକ୍ଷାଧିକାରୀ ରାଜୀବ ଦଳେଇ, ବ୍ଲକ ଶ୍ରମ ଅଧିକାରୀ ଶାଶ୍ଵତ ପଲେଇ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କରୁଣାକର ନନ୍ଦ, ଯନ୍ତ୍ରୀ ରଜତ କୁମାର ସେଠୀ, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କେଳୁ ଚରଣ ଦଳେଇ, ସିଡ଼ିପିଓ ଉମାମଣି ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ସାମିଲ ହୋଇଥିଲେ। ବ୍ଲକ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।