ଜିଲ୍ଲାସ୍ତରୀୟ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାସ୍ତରୀୟ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ୬ ଘଟିକା ସମୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି ସୌଧରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ସହରରେ ଥିବା ସମସ୍ତ ବରପୁତ୍ରମାନକୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ପରେ ପରେ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସହରର ଜନସାଧାରଣଙ୍କ ସହଯୋଗରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା । ଶୋଭାଯାତ୍ରାକୁ ଅଧିକ ଆକର୍ଷଣିୟ କରିବା ପାଇଁ ସ୍ଥାନୀୟ ପାଇକ ଆଖଡ଼ା କଳା ପ୍ରଦର୍ଶନ ଦେଖାଇ ସହର ପରିକ୍ରମା କରଯାଇଥିଲା। ଏହି ଶୋଭାଯାତ୍ରାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ,ଗଜପତି ଶ୍ରୀଯୁକ୍ତ ଦୟାମୟ ପାଢୀ , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ନିର୍ବାହୀ ଅଧିକାରୀ ପୌରପରିଷଦ ପାରଳାଖେମୁଣ୍ଡି ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତିରେ ଥିଲେ। ପରେ ପରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ଠାରେ ଜିଲ୍ଲାର କଳା ସଂସ୍କୃତି, ଐତିହ୍ୟ ଓ ଓଡ଼ିଶାର ମହାପୁରୁଷ ମାନଙ୍କ ଫଟୋଚିତ୍ର ପ୍ରଦର୍ଶନ କରାଯାଇଥିଲା । ପରେ ପରେ ଉକ୍ତ ସ୍ଥାନରେ ଏକ ସାଧାରଣ ସଭା ଏବଂ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗଜପତି ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜ ଅଭିଭାଷଣ ରେ କହିଥିଲେ ଯେ ଓଡ଼ିଶା ପ୍ରଦେଶ ଗଠନ କରିବାରେ ମହାରାଜ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଦୂରଦୃଷ୍ଟି , ଜୀବନବ୍ୟାପୀ, ସଂଘର୍ଷ ଓ ସାଧନା ଗଜପତି ଜିଲ୍ଲାକୁ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶରେ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି। ସେହିପରି ପାରଳାଖେମୁଣ୍ଡିରୁ ସୃଷ୍ଠି ସାହିତ୍ୟ, ସଙ୍ଗୀତ, ନାଟକ, ଲୋକକଳା ଓ ପରମ୍ପରା ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବାରେ ପ୍ରଥେମେ ପରାଳରୁ ହିଁ ଝଙ୍କୃତ ହୋଇଥିଲା ବୋଲି ଅଭିଭାଷଣ ପ୍ରଦାନ କରିଥିଲେ । ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଓଡ଼ିଆ ସଂସ୍କୃତି, ଭାଷା ସାହିତ୍ୟର ପ୍ରଗତି ପାଇଁ ତାଙ୍କର ଦୂରଦୃଷ୍ଟି କାର୍ଯ୍ୟ ଅବିସ୍ମରଣୀୟ ହୋଇ ରହିଛି।


