ଜିଲ୍ଲା ସ୍ତରୀୟ ବାର୍ଷିକ ସମ୍ମିଳନୀ ଉଦଯାପିତ
କେନ୍ଦ୍ରାପଡ଼ା(ଓ୍ବାଇଏନଏସ): କେନ୍ଦ୍ରାପଡ଼ା ସହରର ବଡ଼ହାଟ ସ୍ଥିତ ଅହମଦୀୟା ମୁସଲିମ୍ ସମ୍ପ୍ରଦାୟ ତରଫରୁ ଅହମଦୀୟା ମସଜିଦ ପରିସରରେ ଜିଲ୍ଲା ସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ମୌଲାନା ହାରୁନ ରଶିଦ ପୌରୋହିତ୍ୟ କରିଥିଲେ । ” ବାର୍ଷିକ ସମ୍ମିଳନୀ”ର ଏହି ମହାନ ପରମ୍ପରାର ଶୁଭାରମ୍ଭ ମିର୍ଜା ଗୁଲାମ ଅହମଦ୍ ସଂସ୍ଥାପକ ଅହମଦୀୟା ମୁସଲିମ୍ ସମ୍ପ୍ରଦାୟ ୧୮୯୧ ମସିହାରେ ସର୍ବ ପ୍ରଥମେ କାଦିଆନ ପଞ୍ଜାବ ଠାରେ କରିଥିଲେ । ଏହି ସମ୍ମିଳନୀରେ ପବିତ୍ର କୋରାନ ପାଠ ମୌଲାନା ନସିର ଅହମଦ ଖାନ କରିଥିବା ବେଳେ ଉର୍ଦ୍ଦୁ ନଜମ କବିତା ସୟଦ ସରଫରାଜ ଅହମଦ ପଢ଼ି ଶୁଣାଇଥିଲେ । ସଭାଦ୍ଧକ୍ଷ ଖିଲାଫତ ସହ ଦୃଢ଼ ସଂପର୍କ ସ୍ଥାପନା ପାଇଁ ସପଥ ପାଠ କରାଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମୌଲାନା ଅକବର ଖାନ କହିଲେ; ନମାଜ ପ୍ରଭୁଙ୍କ ନିକଟତର ହେବାର ମାଧ୍ୟମ । ନମାଜ ସଫଳତାର ଚାବିକାଠି । ନମାଜ ଆମକୁ ଆଜ୍ଞାବହତା ସିଖାଇଥାଏ । ସାମୂହିକ ନମାଜ ପାଠ ଏକତାର ଓ ଅଖଣ୍ଡତାର ପରିଚୟ ଦେଇଥାଏ । ନମାଜ ଅଶ୍ଳିଳତା ଓ ମନ୍ଦ ଆଚାରଣରୁ ନିବୃତ୍ତ ରଖିଥାଏ । ମନଧ୍ୟାନ ଦେଇ ନମାଜ ପାଠ କରିଥିଲେ ହିଁ ପ୍ରତ୍ୟେକ ପ୍ରକାରର ଅସତ୍ କର୍ମରୁ ଦୂରତା ମିଳିଥାଏ । ନମାଜ ପାଠ ଦ୍ବାରା ପାପ ଧୋଇ ହୋଇଯାଇଥାଏ । ନମାଜ ପାଠର ଅଭ୍ୟାସ ଦ୍ବାରା ସନ୍ତାନର ସତଶିକ୍ଷା ଓ ତରବିୟତ ହୋଇପାରିଥାଏ । ଦ୍ବିତୀୟ ବକ୍ତା ଭାବେ ଯୋଗ ଦେଇ ମୌଲାନା ଅବଦୁର ରହିମ ଦର୍ଦ କହିଲେ;ପ୍ରଭୁ ମନୁଷ୍ୟକୁ ତାର ଉପାସନା କରିବା ପାଇଁ ସୃଷ୍ଟି କରିଛି । ଶାରିରୀକ ଭାବେ ଏବଂ ଆର୍ଥୀକ ଅନୁଦାନ ଭାବେ ମଧ୍ୟ ଉପାସନା କରାଯାଇଥାଏ । ସତ୍ୟନିଷ୍ଠ ଓ ଧର୍ମପରାୟଣ ବ୍ୟକ୍ତି ସିଏ ହୋଇଥାଏ, ଯିଏ ପ୍ରଭୁଙ୍କ ପ୍ରଦତ୍ତ ଅନୁଦାନରୁ ହିଁ ପ୍ରଭୁଙ୍କ ମାର୍ଗରେ ଖର୍ଚ୍ଚ କରିଥାନ୍ତି । ଅହମଦୀୟା ମୁସଲିମ ସମ୍ପ୍ରଦାୟର ପ୍ରତିଷ୍ଠାତା ହଜରତ ମିର୍ଜା ଗୁଲାମ ଅହମଦ କୁହନ୍ତି ତୁମେ କେବେ ହେଲେ ଦୁଇଟି ଯାକ ସହିତ ପ୍ରେମ କରିପାରିବ ନାହିଁ । ପ୍ରଥମରେ ଅର୍ଥ ସହ ପ୍ରେମ । ଦ୍ବିତୀୟଟି ହେଲା ପ୍ରଭୁଙ୍କ ସହ ପ୍ରେମ । ତୁମେ ଅର୍ଥ ସହ କଦାପି ପ୍ରେମ କରନାହିଁ । କାରଣ ସେ ଆଜି ଅଛି, କାଲି ଛାଡି ଚାଲିଯିବ । ଯଦି କାହାରିକୁ ଆଧ୍ୟାତ୍ମିକ ଭାବେ ଜୀବିତ ରହିବାର ଅଛି ତା ହେଲେ ଯେପରି ମାଛ ଜୀବିତ ରହିବା ପାଇଁ ପାଣିର ଆବଶ୍ୟକ ରହିଥାଏ । ସେଇଭଳି ମଣିଷ ପାଇଁ ତ୍ୟାଗ ଓ ବଳିଦାନ ଜରୁରୀ ଅଟେ । ଅଲ୍-ଓ୍ବସିୟତ ବ୍ୟବସ୍ଥା ମଣିଷକୁ ସତ୍ୟନିଷ୍ଠ ଓ ଧର୍ମପରାୟଣ କରିବା ସହ ଆତ୍ମସଂଯମୀ, ତ୍ୟାଗୀ ଏବଂ ପ୍ରକୃତ ପ୍ରଭୁଭକ୍ତ ଭାବେ ଗଢ଼ିପାରିଥାଏ । ଏହି ବ୍ୟବସ୍ଥା ଦ୍ବାରା ସମାଜରେ ସମନ୍ବୟତା କାଏମ ରହିବା ସହ ଗରିବ, ଅସହାୟ, ବିଧବା ଏବଂ ଅନାଥଙ୍କର ସହାୟକ ହୋଇଥାଏ । ଦ୍ବିତୀୟ ଉର୍ଦ୍ଦୁ ନଜମ କବିତା ମୌଲବି ନାସିରୁଦ୍ଦିନ ଖାନ ପଠି ଶୁଣାଇଥିଲେ । ତୃତୀୟ ବକ୍ତା ଭାବେ ଜିଲ୍ଲା ମୌଲାନା ଇନଚାର୍ଜ ମୌଲାନା ସେକ ଇସହାକ କହିଲେ; କୌଣସି ସଂଗଠନର ପ୍ରକୃତ ଶକ୍ତି ସଂଗଠନର ଏକତ୍ରିକରଣରେ ହୋଇଥାଏ । ଏକତାରେ ହିଁ ସଫଳତା ମିଳିଥାଏ । ଆଜ୍ଞାବହତାରେ ହିଁ ବିଜୟର ବାର୍ତ୍ତା ରହିଥାଏ । ଭଲ ନେତୃତ୍ବରେ ହିଁ ଉତ୍ତମ ଅସ୍ତିତ୍ବ ପରିଲିଖିତ ହୋଇଥାଏ । ସଂଗଠନର ଦୃଢ଼ିକରଣରେ ବିକାଶ ଓ ପ୍ରଗତିର ପଥ ପ୍ରସ୍ତର ହୋଇଥାଏ । ଅବଜ୍ଞାକାରୀମାନେ ସର୍ବଦା ସମାଜ ପାଇଁ ଏବଂ ସଂଗଠନ ପାଇଁ କ୍ଷତିକାରକ ଓ ଘାତକ ହୋଇଥାନ୍ତି। ସଭାପତି ଓ ସଂଗଠକଙ୍କ ଆଜ୍ଞାବହତାରେ ହିଁ ସଫଳତା ରହିଥାଏ । ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ସହରର କାଉଁସିଲର ଉମେଶ ଚନ୍ଦ୍ର ନାୟକ ଯୋଗଦେଇ କହିଲେ; ସକଳ ଧର୍ମର ମୂଳମନ୍ତ୍ର ଏକ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ମାନବ ଜାତି ଏକ । ଅହମଦୀୟା ମୁସଲିମ ସଂଗଠନ ସମସ୍ତ ମୁସଲିମ ସମାଜରେ ଏକ ସଭ୍ୟ ଓ ଶିକ୍ଷିତ ସଂଗଠନ । ସେମାନେ ଯେଉଁଠି ବି ରୁହନ୍ତୁ ନା କାହିଁକି ସହର, ନଗର, ରାଜ୍ୟ, ରାଷ୍ଟ୍ର ଓ ବିଶ୍ବର ବିକାଶ ଓ ସମୃଦ୍ଧି ପାଇଁ ସର୍ବଦା ଚେଷ୍ଟିତ ରହିଥାନ୍ତି । ବିଶ୍ବଶାନ୍ତି ଓ ବିଶ୍ବଭାଇଚାରା ପ୍ରତିଷ୍ଠା କରିବାରେ ଏମାନେ ଅଗ୍ରଣୀ ଓ ସକ୍ରିୟ ରହିଥାନ୍ତି । ସଭାପତିତ୍ବ ଭାଷଣରେ ମୌଲାନା ହାରୁନ ରସିଦ କହିଲେ; ଏହି ବାର୍ଷିକ ସମ୍ମିଳନୀର ଉଦ୍ଦେଶ୍ୟ ହେଲା, ବିକାଶ, ଉନ୍ନତ୍ତି ତଥା ପ୍ରଗତି କ୍ଷେତ୍ରରେ ବାର୍ଷିକ କାମର ଆଲୋଚନା କରିବା । ଅବହେଳିତ ଓ ପଛୁଆ ବର୍ଗର ଲୋକମାନଙ୍କୁ ସତମାର୍ଗର ପରିଚାଳିତ କରି ସମାଜର ମୁଖ୍ୟ ସ୍ରୋତରେ ଶାମିଲ କରିବା । ଜଣେ ଅନ୍ୟ ଜଣକର ସହଯୋଗୀ ହେବା । ମହାପୁରୁଷ ଓ ମୁରବୀମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା । ଆମ ଭବିଷ୍ୟତ ଆମ ହାତରେ ରହିଛି । ଭଲ କାମ କରି , ଆଦର୍ଶବାଦୀ ହୋଇ ଆମ ଆଗନ୍ତୁକଙ୍କ ପାଇଁ ଭଲ ସଂସ୍କାର ଛାଡିଯିବା । ପରିଶେଷରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ତଥା ଧର୍ମସେବା କରୁଥିବା ସମସ୍ତ ଧର୍ମଗୁରୁ, ସଭାପତି, ଯୁବ ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ, ବିଶ୍ବଶାନ୍ତି ପାଇଁ ସାମୂହିକ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ସମ୍ମିଳନୀରେ ଜିଲ୍ଲା କଟକ, ଢ଼େଙ୍କାନାଳ, ଅନୁଗୋଳ, ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ଜଗତସିଂପୁର ଏବଂ କେନ୍ଦ୍ରାପଡାର ଶତାଧିକ ଅହମଦି ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅଲ୍ ଓଡିଶା ବି.ଜେ.ପି ସେକ୍ରେଟାରୀ ରଞ୍ଜିତ କୁମାର ସାହୁ, ସୟଦ ଏହେସାନ ସଭାପତି କେନ୍ଦ୍ରାପଡା ଜାମା ମସଜିଦ, ସେକ ନସିମ, ସଭାପତି ଅହମଦୀୟା ମୁସଲିମ ଜମାତ କେନ୍ଦ୍ରାପଡା ସେକ ଜମାଲୁଦ୍ଦିନ, ଜିଲ୍ଲା ଉପସଭାପତି ରସିଦ ଖାନ, ଜିଲ୍ଲା ନାଜିମ ସୟଦ ବଶିର ଅହମଦ, ଜିଲ୍ଲା ଯୁବସଭାପତି ମହମ୍ମଦ ସଫାକତ ଅଲ୍ଲି, ମୌଲାନା ଫଜଲ ହକ ଖାନ, ମୌଲାନା ସେକ ଅବଦୁଲ ହଲିମ, ମୌଲାନା ସୟଦ ଫଜଲେ ନଇମ, ମୌଲାନା କରାମତ ଅହମଦ, ମୌଲାନା ତୟବ ଅହମଦ ଖାନ ଏବଂ ଅଫଜଲ ଖାନ ଯୋଗ ଦେଇଥିଲେ ।


