ବରିଷ୍ଠ ନାଗରିକଙ୍କ ପାଇଁ ଜିଲ୍ଲା ସ୍ତରୀୟ ସଚେତନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା): ପିତାମାତା ତଥା ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ-୨୦୦୭ ବିଷୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସଦର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀଯୁକ୍ତ ସୁଧାକର ନାଏକ, ପୌରାଧ୍ଯକ୍ଷା ଶ୍ରୀମତୀ ସବିତା ସାହୁ, ହେଲ୍ପ ଏଜ୍ ଇଣ୍ଡିଆ, ଭୁବନେଶ୍ୱର ରାଜ୍ୟ ପ୍ରତିନିଧି ଶ୍ରୀମତୀ ଦେବଶ୍ରୀ ବ୍ରହ୍ମ ପ୍ରମୁଖ ମଞ୍ଚାସ୍ବିନ ଥିଲ । ଜିଲ୍ଳା ସାମାଜିକ ଅଧିକାରିଣୀ ପ୍ରତିଭା ବେହେରା ସଚେତନ ଶିବିରର ଆଭିମୁଖ୍ୟ ବିଷୟରେ ଉପସ୍ଥିତ ଥିବା ବରିଷ୍ଠ ନାଗରିକ ମାନଙ୍କୁ ସଚେତନତା କରାଇଥିଲେ । ହେଲ୍ପ ଏଜ୍ ଇଣ୍ଡିଆ, ଭୁବନେଶ୍ୱର ରାଜ୍ୟ ପ୍ରତିନିଧି ଶ୍ରୀମତୀ ଦେବଶ୍ରୀ ବ୍ରହ୍ମ ନିଜର ଉପସ୍ଥାପନା ଜରିଆରେ ପିତା ମାତା ତଥା ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ-୨୦୦୭ ରେ ଥିବା ପ୍ରାବଧାନ ବିଷୟରେ ପ୍ରତିଟି ଦିଗ ଉପରେ ସବିଶେଷ ଆଲୋଚନା କରିଥିଲେ। ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଥିବା ବରିଷ୍ଠ ନାଗରିକ ମାନେ ସେମାନଙ୍କର ସମସ୍ୟା ବିଷୟରେ ପ୍ରଶ୍ନ କରିଥିଲେ ଏବଂ ତାର ସମାଧାନ ଉତ୍ତର ମାଧ୍ୟମରେ ଅତିଥିମାନେ ପ୍ରଦାନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ, ବାଲେଶ୍ୱର ଓ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସହଯୋଗରେ ଅନୁଷ୍ଠିତ ହୋଇଥିଲା।


