କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଜୁନ୍ ୮ରେ ଜିଲ୍ଲାସ୍ତରୀୟ ସମ୍ମିଳନୀ
ବାଲେଶ୍ୱର (ସରୋଜ ପଣ୍ଡା): ଉତ୍ତର ଓଡ଼ିଶାର କୃଷି ଓ କୃଷକମାନଙ୍କ ଉନ୍ନତିପାଇଁ ବାଲେଶ୍ୱର ଜିଲ୍ଲାରେ ଏକ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କ୍ଷେତ୍ର ପ୍ରତିଷ୍ଠା ନିମିତ୍ତ ଦୀର୍ଘ ୩ ବର୍ଷ ଧରି ବାଲେଶ୍ୱରରେ ବହୁ କୃଷି ବୈଜ୍ଞାନିକ, କୃଷକ, କୃଷିଶ୍ରମିକ ଓ ବୁଦ୍ଧିଜୀବୀ ଦାବି କରିଆସୁଛନ୍ତି। ଏଥିପାଇଁ ଗଠିତ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ଜିଲ୍ଲା କମିଟି ବୈଠକ ରବିବାର ଦିନ ଅପରାହ୍ନରେ ତାରିଣୀ ନର୍ସିଂହୋମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ଡ. କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଜୁନ୍ ଆଠ ତାରିଖ ଦିନ ଜିଲ୍ଲା ସମ୍ମିଳନୀ ପାଇଁ ନିଷ୍ପତ୍ତି ନିଆଯାଇଛି। ଚଳିତ ମାସରୁ ସମସ୍ତ ବ୍ଲକ୍ ଓ ଅଞ୍ଚଳ ସମିତି ମାନଙ୍କର ସମ୍ମିଳନୀ ଆସନ୍ତା ମଇ ମାସ ଶେଷ ସପ୍ତାହ ସୁଦ୍ଧା ଶେଷ କରିବାକୁ ସ୍ଥାନୀୟ ସମିତିର କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରାଯାଇଛି। ଏହି ଅବସରରେ ଗତ ୩ ବର୍ଷ ଧରି ଉକ୍ତ ସମିତିର କାର୍ଯ୍ୟାବଳୀ ଓ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠାର ଜରୁରୀ ଆବଶ୍ୟକତା ସଂପର୍କରେ ତଥ୍ୟଭିତ୍ତିକ ନିବନ୍ଧମାନ ପ୍ରକାଶିତ ହେବ। ରାଜ୍ୟ ସରକାର ଚଳିତ ବର୍ଷ ବଜେଟ୍ରେ କୃଷିକୁ ଅଧିକ ଗୁରୁତ୍ୱ ଦେଇଥିବାରୁ ଧାନ, ପାନ, ମୀନ ଉତ୍ପାଦନରେ ବାଲେଶ୍ୱର ଜିଲ୍ଲାର ଗୁରୁତ୍ୱକୁ ଉପଲବ୍ଧି କରି ରାଜ୍ୟ ସରକାର ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠାପାଇଁ ଘୋଷଣା କରିବେ ବୋଲି ବୈଠକରେ ବହୁ ସଦସ୍ୟ ଆଶାପୋଷଣ କରିଥିଲେ। ଏହି ବୈଠକରେ କ୍ରିୟାନୁଷ୍ଠାନ ସମିତିର ସାଧାରଣ ସଂପାଦକ ଅଭୟ କୁମାର ମିଶ୍ର ଗତ ବୈଠକର ବିବରଣୀ ପାଠ କରିବା ପରେ ଏହା ଗୃହୀତ ହୋଇଥିଲା। କାର୍ଯ୍ୟକାରୀ ସଭାପତି ତଥା ଆଇନଜୀବୀ ନିରଞ୍ଜନ ପରିଡ଼ା, ହରିନାରାୟଣ ମଢ଼ୁଆଳ, ସତ୍ୟ ନାରାୟଣ ପାକଳ, ପ୍ରଫୁଲ୍ଲ କୁମାର ଦାସ, ଗୋବିନ୍ଦ ଚନ୍ଦ୍ର ଭୋଇ, ଗୌରାଙ୍ଗ ପାଣିଗ୍ରାହୀ ଓ ଭାସ୍କର ଚନ୍ଦ୍ର ପାଢ଼ୀ ପ୍ରମୁଖ ଆସନ୍ତା ସମ୍ମିଳନୀର ସଫଳତା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଆସନ୍ତା ବୈଠକରେ ଜିଲ୍ଲା ସମ୍ମିଳନୀ ପାଇଁ ଅଭ୍ୟର୍ଥନା କମିଟି, ଖର୍ଚ୍ଚ ଅଟକଳ ଓ ଅତିଥି ନିମନ୍ତ୍ରଣ ସଂପର୍କରେ ନିଷ୍ପତ୍ତି ନିଆଯିବ। ସରସ୍ୱତୀ ପଣ୍ଡା, ସୀତାରାମ ପ୍ରଧାନ, ଅକ୍ଷୟ କୁମାର ତ୍ରିପାଠୀ, ଡ. କ୍ଷିତିଶ୍ୱର ଦାଶ ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ସଂଗଠନକୁ ଗ୍ରାମାଞ୍ଚଳରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଧିକ ଦୃଢ଼ କରିବାକୁ ପ୍ରସ୍ତାବ ଦେଇଥିଲେ। ଉପସଭାନେତ୍ରୀ ଅପର୍ଣ୍ଣା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ବୈଠକରେ ବହୁ ବ୍ଲକ୍ କମିଟି ଓ ୩ଟି ଆଞ୍ଚଳିକ କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ।