ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ
କଟକ, (ଓ୍ବାଇଏନଏସ) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ଵାରା ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ ହୋଇଯାଇଛି। ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ସମାରୋହ ଉତ୍ସବରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଗୁରୁଦିବସ ପାଳନ କରାଯିବା ତାତ୍ପର୍ଯ୍ୟ ତଥା ପ୍ରାଚୀନ ସମୟରୁ ଗୁରୁକକୁଳରେ ଶିକ୍ଷାଦାନର ବିଶେଷତ୍ବ ଏବଂ ଶିକ୍ଷାଦାନ କ୍ଷେତ୍ରରେ ବର୍ତ୍ତମାନ ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର କିଭଳି ଗୁରୁ ଦାୟିତ୍ଵ ରହିଛି ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆନ୍ତରିକତାର ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ ପ୍ରଦାନ କରି ସେମାନଙ୍କ ଭବିଷ୍ୟତ ଗଢ଼ିବା ସହ ସେମାନଙ୍କର ପାରିପାର୍ଶିକ ଅଗ୍ରଗତିରେ ନିଜକୁ ସାମିଲ କରିବା ନେଇ ମତବ୍ୟକ୍ତ କରିଥିଲେ। ଗୁରୁ ଶିଷ୍ୟ ପରମ୍ପରା ସମ୍ଵନ୍ଧରେ ମତରଖି ଜିଲ୍ଲାପାଳ ଶିକ୍ଷା ପାଠ୍ୟକ୍ରମ ତଥା ଜିଲ୍ଲାରେ ମିଶନ ମେରିଟ କାର୍ଯ୍ୟକ୍ରମ ଏବଂ ପ୍ରତିଭା ଅନ୍ୱେଷଣ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଷ୍ଠାର ସହ ଦାୟିତ୍ୱବୋଧ ଭାବେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ୍ ଆଜିର ଏହି ସମାରୋହରେ ସଭାପତିତ୍ବ କରି ଆଜିର ଉତ୍ସବକୁ ଏକ ପ୍ରତୀକ ବୋଲି ବିବେଚନା କରି ଗୁରୁଦିବସ ପାଳନ ସହ ଶିକ୍ଷାଦାନ, ଜୀବନଦାନ ସହ ତୁଳନା କରି ଏଥିରେ କିପରି ଆତ୍ମା ଅନୁଭୂତି କରିହୁଏ ତଥା ଶିକ୍ଷିତ ସମାଜ ଗଠନରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର କିପରି ଭୂମିକା ରହିଛି ସେ ଦିଗରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଶ୍ରୀ ମନୋରଞ୍ଜନ ବାରିକ, ସନ୍ତୋଷ କୁମାର ସେଠୀ, ଅଭିଜିତା ଭାସ୍କର ପ୍ରମୁଖ ସମାରୋହରେ ଯୋଗଦେଇ ଗୁରୁଦିବସ ପାଳନ, ଶିକ୍ଷା ପଦ୍ଧତି ଆଦି ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଉପସ୍ଥିତ ଥିବାବେଳେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଦେବପ୍ରସାଦ ତ୍ରିପାଠୀ ଓ ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ବିଭୂଦତ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ I ଆଜିର ସମାରୋହ ଅବସରରେ ଆୟୋଜିତ ସଭାକୁ ପହଙ୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସରିତା ଦାଶ ଓ କମଳାକାନ୍ତ ବିଦ୍ୟାପୀଠର ଶିକ୍ଷୟତ୍ରୀ ସୁମନ ପ୍ରତିହାରୀ ସଂଯୋଜନା କରିଥିଲେ । ଉକ୍ତ ଉତ୍ସବରେ ଜିଲ୍ଲାର ୫୩ ଜଣ କୃତି ଶିକ୍ଷକ ଓ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କୁ ସମ୍ମାନିତ କରାଯାଇ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀଙ୍କ ସହ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହୋଯୋଗ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ରେଭେନ୍ସା କଲିଜିଏଟ ସ୍କୁଲର ଛାତ୍ରଛାତ୍ରୀ ଓ ସାଲେପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷାକର୍ମୀ ସୀମାଞ୍ଚଳ ସାହୁ ସହଯୋଗ କରିଥିଲେ l


