ଜିଲ୍ଲାସ୍ତରୀୟ ’ଆସ ବହିଟିଏ କିଣିବା’ ଅଭିଯାନ
ଛତ୍ରପୁର,(ଓ୍ବାଇଏନଏସ): ରାଜ୍ୟରେ ଅପ୍ରେଲ ମାସ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିବସ ଅବସରରେ ସାରା ରାଜ୍ୟରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଜିର ଦିବସଟି ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସ୍ରଷ୍ଟାମାନଙ୍କ ପାଇଁ ସମର୍ପିତ ଥିଲା ଆଜିର ଏହି “ଆସ ବହିଟିଏ କିଣିବା” ଅଭିଯାନ। ସାରସ୍ୱତ ସାଧାକମାନଙ୍କ ଦ୍ୱାରା ଲିଖିତ ପୁସ୍ତକକୁ କିଣିବା, ପଢ଼ିବା ଓ ଅନ୍ୟମାନଙ୍କୁ ଉପହାର ଦେବା ଲକ୍ଷ୍ୟରେ ଆଜି “ଆସ ବହିଟିଏ କିଣିବା” ଅଭିଯାନକୁ ପାଳନ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଆଜି ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅସ୍ଥାୟୀ ପୁସ୍ତକ ବିକ୍ରୟ କେନ୍ଦ୍ର ତଥା ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଯୋଗଦେଇ ଓଡ଼ିଆ ପକ୍ଷ ଏବଂ ଆଜି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି କହିଥିଲେ ଯେ ଫୁଲତୋଡ଼ା ଅସ୍ଥାୟୀ କିନ୍ତୁ ପୁସ୍ତକ ଚିରସ୍ଥାୟୀ, ତେଣୁ ପୁଲତୋଡ଼ା ଉପହାର ନ ଦେଇ ବିଭିନ୍ନ ଅବସରରେ ପୁସ୍ତକ ଉପହାର ଦିଅନ୍ତୁ । ସେହିପରି ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କଟା ମଧ୍ୟ ଯୋଗଦେଇ ଜୀବନରେ ଭଲ ପୁସ୍ତକର ମହତ୍ୱ ଉପରେ କହିଥିଲେ l ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର କସ୍ତୁରୀ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ଅନେକ ଅଧିକାରୀ, କର୍ମଚାରୀ ଓ ସାମ୍ବାଦିକ ମାନେ ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ସମସ୍ତେ ନିଜ ପାଇଁ ମନଲାଖି ବହି କିଣିଥିଲେ । ଏଥିସହିତ ବହି କିଣିବା ଓ ପଢ଼ିବାର ସେଲ୍ଫି ଉଠାଇ ଏହାକୁ ଅତି ଉତ୍ସାହର ସହିତ ଓଡ଼ିଆ ପକ୍ଷର ୱେବସାଇଟ (www.odiapakhya.com)ରେ ଅପଲୋଡ଼ କରିଥିଲେ। ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନ ସମ୍ବନ୍ଧରେ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହିତ ସାହିତ୍ୟ ସର୍ଜନାକୁ ପ୍ରୋତ୍ସାହନ ଦେବା ଦିଗରେ ଆଜିର ଏହି “ଆସ ବହିଟିଏ କିଣିବା” ଅଭିଯାନକୁ ସଫଳତାର ସହ ପାଳନ କରାଯାଇଥିଲା।


