ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ
କଟକ, (ଓ୍ବାଇଏନଏସ) : ସମ୍ପ୍ରତି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ ଅବସରରେ ଜିଲ୍ଲା ମତ୍ସ୍ୟ ଅଧିକାରୀ କଟକଙ୍କ ଆନୁକୁଲ୍ଯରେ ଏକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମତ୍ସ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ବବିତା ମହନ୍ତ ସ୍ଵାଗତ ଅଭିଭାଷଣ ରଖିବା ସହ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳନର ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ ନାୟକ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀମତୀ ରାଜଶ୍ରୀ ବେହେରା ଯୋଗ ଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷି ତଥା ପ୍ରାଣୀ ସମ୍ପଦ ବିକାଶ ବିଭାଗର ଯୋଜନା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ୧୯୫୭ ମସିହା ଜୁଲାଇ ୧୦ ତାରିଖ ଦିନ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ନାରାୟଣ ସାଗର ସରକାରୀ ମାଛ ଫାର୍ମରେ କାର୍ପ ମାଛର କୃତ୍ରିମ ପ୍ରଜନନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ମହତ୍ବପୂର୍ଣ୍ଣ ଐତିହାସିକ ସଫଳତାକୁ ମନେ ରଖିବା ପାଇଁ ଜୁଲାଇ ୧୦ ତାରିଖକୁ ସାରା ଭାରତରେ ଜାତୀୟ ମତ୍ସ୍ୟଚାଷୀ ଦିବସ ରୂପେ ପାଳନ କରାଯାଇ ଆସୁଅଛି। ରାଜ୍ୟର ପ୍ରଗତି ଓ ବିକାଶରେ ମତ୍ସ୍ୟଚାଷୀ / ମତ୍ସ୍ୟଜୀବୀ / ମତ୍ସ୍ୟ ଉଦ୍ଯୋଗୀ / ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ମତ୍ସ୍ୟ ସହ ସମ୍ପୃକ୍ତ ପ୍ରତ୍ଯେକ ବ୍ୟକ୍ତି ବିଶେଷଙ୍କ ଅବଦାନକୁ ସ୍ମରଣ କରାଯିବ ସହ ଏହି କ୍ଷେତ୍ରକୁ ନୂତନ ଜ୍ଞାନ କୌଶଳ ଯୁକ୍ତ କରିବା ଓ ପରିବେଶ ଅନୁକୂଳଯୁକ୍ତ ସମୃଦ୍ଧି କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଅଟେ। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ଯାଣ ଯୋଜନା ଅନ୍ତର୍ଗତ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ଯକ୍ରମର ରୂପରେଖ ସମ୍ବନ୍ଧରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ୧୦୦ ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ, ମତ୍ସ୍ୟ ଉଦ୍ଯୋଗୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଯୋଗଦେଇଥିଲେ। ଏହି କାର୍ଯ୍ଯକ୍ରମରେ ଅଗ୍ରଣୀ ମତ୍ସ୍ୟଜୀବୀ / ବାୟୋଫ୍ଲେକ୍ସ, ଉଦ୍ଯୋଗୀ / ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରଯାଇଥିଲା। ମାନ୍ୟବର କେନ୍ଦ୍ରମନ୍ତ୍ରୀ, ଶ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧକ୍ଷତାରେ କେନ୍ଦ୍ରୀୟ ମଧୁର ଜଳ କୃଷି ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ବର ଠାରେ ଆୟୋଜିତ ଜାତୀୟ ମତ୍ସ୍ୟଚାଷୀ ଦିବସ-୨୦୨୫ କାର୍ଯ୍ୟକ୍ରମ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ସିଧା ପ୍ରସାରଣ କରଯାଇଥିଲା। ସମସ୍ତ ରାଜ୍ୟରୁ ଯୋଗଦେଇଥିବା ବିଭିନ୍ନ ଅଗ୍ରଣୀ ମତ୍ସ୍ୟଚାଷୀ ଏଥିରେ ଭାଗ ନେଇଥିଲେ ଓ ମତ ବିନିମୟ କରିଥିଲେ। ପରିଶେଷରେ ଉପମତ୍ସ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ବବିତା ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।