ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ):ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ପାଇଁ ବଡ଼ ସ୍ବପ୍ନ ଦେଖନ୍ତୁ। ସ୍ବପ୍ନ ପୂରଣ ହେଉ ବା ନହେଉ, ଲୋକମାନେ ହସନ୍ତୁ, ପରିହାସ କରନ୍ତୁ, ଲକ୍ଷସ୍ଥଳରେ ପହଞ୍ଚିବାକୁ ହେଲେ କଠିନ ପରିଶ୍ରମ, ଏକାଗ୍ରତା ଆବଶ୍ୟକ। ଆଜିର ପିଲା ନିଶ୍ଚିତ ସ୍ବପ୍ନକୁ ସାକାର କରିପାରିବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ପୁରୀଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ରଶିକ୍ଷା ପକ୍ଷରୁ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ ସ୍ଥାନୀୟ ବାରବାଟୀ ପଡ଼ିଆରେ ମଙ୍ଗଳବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ଦୁଇଦିନ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିଡ଼ା ବଡ଼ ସ୍ବପ୍ନ ଦେଖି ତାକୁ ସତ୍ୟରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ମହାମନ୍ତ୍ର ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦ୍ଵିତୀକାନ୍ତ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ, ବ୍ଲକ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ପାଢ଼ୀ, ପଞ୍ଚସଖା ଶିକ୍ଷା ସେବା ସଂଗଠନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜଲକ୍ଷ୍ମୀ ଦାଶ, ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ, ନିମାପଡ଼ା ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ନନ୍ଦିତା ସାହୁ ପ୍ରମୁଖ ଯୋଗଦେଇଥିଲେ। ସମଗ୍ର ପୁରୀ ଜିଲ୍ଲାରେ ୨୭ଟି ସ୍କୁଲକୁ ପିଏମଶ୍ରୀ ଯୋଜନାରେ ସାମିଲ କରାଯାଇ ଥିବା ବେଳେ ନିମାପଡ଼ାର ୪ଟି ସ୍କୁଲକୁ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି ବୋଲି ପୁରୀ ଡିଇଓ ଶ୍ରୀଯୁକ୍ତ ପାଢ଼ୀ କହିଥିଲେ। ଏହି ଅବସରରେ ଆଦର୍ଶ ଛାୟା ସଂସଦ, ଆକାଂକ୍ଷୀ ମେଳା-ଇନ୍ସପାଏରିଂ ଓଡ଼ିଶା ୨୦୩୬ ଏବଂ ପିଏମଶ୍ରୀ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରକଳ୍ପଗୁଡିକୁ ଉପମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବା ସହିତ ସେମାନଙ୍କ ଭବିଷ୍ୟତ ଉଜ୍ଜଳ ହେବାକୁ କାମନା କରିଥିଲେ।


