ଫେବୃଆରୀ ୮ ତାରିଖରେ କଟକରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

କଟକ, (ଓ୍ବାଇଏନଏସ): ଆସନ୍ତା ଫେବୃଆରୀ ୮ ତାରିଖ ରବିବାର ଦିନ ବାଲିଯାତ୍ରା ତଳ ପଡିଆଠାରେ କଟକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଏହି ମେଳା ସକାଳ ୧୦ଘଟିକା ୩୦ ମିନିଟଠାରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ । ଜିଲ୍ଳା ସୁଭଦ୍ରା ଶକ୍ତି ଓ ସ୍ୱଦେଶୀ ମେଳା ପରିସରରେ ଏହି ମେଳା ଅନୁଷ୍ଠିତ ହେବ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ, କଟକ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ନିଯୁକ୍ତି ମେଳାରେ ଜିଲ୍ଲାର ୧୪ଟି ଯାକ ବ୍ଲକର ପଂଚମ ଶ୍ରେଣୀଠାରୁ ଯୁକ୍ତ ୩ ପାଶ୍‌, ଆଇଟିଆଇ ଓ ଡିପ୍ଲୋମା ପାସ୍ କରିଥିବା ୧୮ରୁ ୩୫ ବର୍ଷର ଯୁବକ ଯୁବତୀ ଅଂଶଗ୍ରହଣ କରିପାରିବେ । ଏହି ନିଯୁକ୍ତି ମେଳାରେ ରାଜ୍ୟ ଏବଂ ରାଜ୍ୟ ବାହାରର ଘରୋଇ ନିଯୁକ୍ତିଦାତା ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ଚୁକ୍ତି କରିଥିବା ତାଲିମପ୍ରଦାନକାରୀ ସଂସ୍ଥାମାନେ ଯୋଗଦେଇ ସେମାନଙ୍କ ସଂସ୍ଥାର ଆବଶ୍ୟକ ପଦପଦବୀ ପାଇଁ ପ୍ରାର୍ଥୀ ଓ ପ୍ରାର୍ଥିନୀ ଚୟନ କରିବେ । ନିଯୁକ୍ତିଦାତାମାନଙ୍କ ମଧ୍ୟରୁ କେତେକ ସିଧାସଳଖ ନିଯୁକ୍ତି ଦେବେ ଏବଂ ଆଉ କେତେକ ନିଯୁକ୍ତି ଭିତିକ ତାଲିମ ପରେ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି । ଏହି ତାଲିମ ସମ୍ପୁର୍ଣ୍ଣ ମାଗଣା । ତାଲିମ ସମୟର ପ୍ରଶିକ୍ଷଣ, ରହିବା ଓ ଖାଦ୍ୟପେୟ ବାବଦର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରାର୍ଥୀ/ପ୍ରାର୍ଥିନୀମାନେ ବିିଭନ୍ନ କାଉଂଟରରେ ପଞ୍ଜିକରଣ କରିପାରିବେ ଏବଂ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ସଂସ୍ଥାରେ ନିଯୁକ୍ତି ବା ତାଲିମ ନିମନ୍ତେ ଚୟନ ହୋଇପାରିବେ । ଇଚ୍ଛୁକ ପ୍ରାର୍ଥୀ/ପ୍ରାର୍ଥିନୀ ନିଜର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାର କାର୍ଡ ଓ ପାସପୋର୍ଟ ସାଇଜ୍ ଫଟୋ ସହିତ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିପାରିବେ । ପ୍ରାର୍ଥୀ/ପ୍ରାର୍ଥିନୀ କେବଳ କଟକ ଜିଲ୍ଳାର ହେବା ଆବଶ୍ୟକ । ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ୦୬୭୧-୨୩୦୦୭୭ ଓ ୦୭୬୫୬୮୩୦୧୫୦ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ