୩୧ରେ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର

ବାଲେଶ୍ୱର,(ସରାେଜ ପଣ୍ଡା): କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍‌ମାନଙ୍କ ମିଳିତ ମଞ୍ଚ ପକ୍ଷରୁ ଆସନ୍ତା ଫେବୃଆରୀ ୧୨ ତାରିଖ ଦିନ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଆହ୍ୱାନ ଦିଆଯାଇଛି। ଦୀର୍ଘ ଏକ ଶତାବ୍ଦୀ ଧରି ସଂଗ୍ରାମ ଫଳରେ ଶ୍ରମିକମାନେ ହାସଲ କରିଥିବା ୪୪ଟି ଆଇନକୁ କେନ୍ଦ୍ର ସରକାର ୪ଟି କୋଡ଼୍‌ରେ ପରିଣତ କରିଥିôବାରୁ ସମସ୍ତ ବର୍ଗର ଶ୍ରମିକ କର୍ମଚାରୀ ଐକ୍ୟବଦ୍ଧ ଆନ୍ଦୋଳନ କରିବାକୁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ବାଲେଶ୍ୱରର ଶ୍ରମିକ କର୍ମଚାରୀମାନଙ୍କ ମିଳିତ ମଞ୍ଚ ଟିୟୁଏସିସି ପକ୍ଷରୁ ଶୁକ୍ରବାର ଦିନ ସନ୍ଧ୍ୟାରେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହି ଧର୍ମଘଟକୁ ବାଲେଶ୍ୱରରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକର ଆବାହକ ତଥା ଟିୟୁଏସିସିର ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଦୃଢ଼ ସମାଲୋଚନା କରି ପୁଞ୍ଜିପତି ମାଲିକ ଓ କର୍ପୋରେଟ୍ ହାଉସ୍‌ଙ୍କ ସ୍ୱାର୍ଥରେ ଏହି ୪ଟି ଶ୍ରମକୋଡ଼୍ କରାଯାଇଥିବାର ଦର୍ଶାଇଥିଲେ। ଏହା କାର୍ଯ୍ୟକାରୀ ହେଲେ ସର୍ବନିମ୍ନ ମଜୁରୀ, ଚାକିରିର ନିରାପତ୍ତା, ସାମାଜିକ ଓ ଅର୍ଥନୈତିକାଭବେ ସମସ୍ତ ବର୍ଗର ଶ୍ରମିକ କର୍ମଚାରୀ କ୍ଷତିଗ୍ରସ୍ତ ହେବେ। ସେମାନେ ସଂଘ ଗଠନ କରିବା କିମ୍ବା ଧର୍ମଘଟ କରିବାର ଅଧିକାର ହରାଇବେ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ଭାଗବତ ପ୍ରତିହାରୀ ଉମାକାନ୍ତ ଦାସ, ରାଜକିଶୋର ଲେଙ୍କା ପ୍ରମୁଖ ପ୍ରଚଳିତ ଶ୍ରମ ଆଇନଗୁଡ଼ିକ ଓ ୪ଟି ଶ୍ରମକୋଡ଼୍‌ର ତାରତମ୍ୟ ବିଷୟରେ ବିଶଦ ଆଲୋଚନା କରିଥିଲେ। ଏହି ଧର୍ମଘଟକୁ ବାଲେଶ୍ୱରରେ ସଫଳ କରିବା ପାଇଁ ଚଳିତ ମାସ ୩୧ ତାରିଖ ଦିନ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ନୂଆବଜାର ସ୍ଥିତ ପରିବହନ ଶ୍ରମିକ ଭବନରେ ଅନୁଷ୍ଠିତ ହେବ। ପଥପ୍ରାନ୍ତ ସଭା, ଶିଳ୍ପ ସଂସ୍ଥା ନିକଟରେ ଗେଟ୍ ମିଟିଂ ଓ ମାଇକ୍ ପ୍ରଚାର ପ୍ରଭୃତି ଜରିଆରେ ଜନାସଧାରଣଙ୍କୁ ମିଳିତ ମଞ୍ଚର ଦାବି ଓ ଆଗାମୀ ଧର୍ମଘଟ ବିଷୟରେ ଅବଗତ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ଏକ ପ୍ରସ୍ତାବରେ ଗତ ୧୪ ତାରିଖ ଦିନ ଗୋରକ୍ଷକମାନେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକଙ୍କୁ ହତ୍ୟା କରିବା ଘଟଣାକୁ ବୈଠକରେ ଦୃଢ଼ ନିନ୍ଦା କରାଯାଇଛି। ଉକ୍ତ ବୈଠକରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ହରେକୃଷ୍ଣ ଚାନ୍ଦ, ଗୌତମ ଦାସ, ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ଭରତ ଚନ୍ଦ୍ର ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ