ଜିଲ୍ଲାସ୍ତରୀୟ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ
ଛତ୍ରପୁର(ଓ୍ବାଇଏନଏସ): ମାଆ ପାଇଁ ଗଛଟିଏ ଲଗେଇବା । ଗଛ ପୋତିବା ନିଜ ମାଆ ନାଆଁରେ । ଯିଏ ମାଆକୁ ସେବା କରୁଥିବ , ମାଆକୁ ସ୍ନେହ କରୁଥିବ ସିଏ ଆଜି ମାଆପାଇଁ ଗଛଟିଏ ରୋପଣ କରିବ ଏବଂ ସ୍ନେହ ଶ୍ରଦ୍ଧାରେ ଗଛଟିକୁ ବଡ କରିବ । ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଗଛଟିଏ ରୋପଣ କରି ଉପହାର ଦେବା ବୋଲି ମାନ୍ୟବର ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ନିଜ ଅଭିଭାଷଣରେ କହିଥିଲେ । ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଛତ୍ରପୁର ଭିକାରୀ ପଲ୍ଲୀ ଗ୍ରାମ ପଞ୍ଚାୟତର ନୁଆଁପଲ୍ଲୀ ଗ୍ରାମ ନିକଟରେ “ଏକ ପେଡ୍ ମାଆ କେ ନାମ୍ ୨.୦” ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ଉଦ୍ଘାଟନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ୭ ଲକ୍ଷରୁ ଉର୍ଦ୍ଧ୍ବ ଗଛ ଲଗା ହେବ ଏବଂ ଗଛଟିଏ ଲଗାଇଦେଲେ ହେବନାହିଁ, ତାକୁ ପାଣି ସାର ଦେଇ ବଡ କରିବା ହେଉଛି ଆମର ପ୍ରଧାନ କର୍ତ୍ତବ୍ୟ ବୋଲି ଗଞ୍ଜାମ ଜିଲ୍ଲାପାଳ ଓ୍ବି କିର୍ତ୍ତୀଓ୍ବାସନ୍ କହିଥିଲେ । ଗଛ ଲଗାଇ ପରିବେଶର ଯତ୍ନ ନେବା ଓ ଭବିଷ୍ୟତ ପାଇଁ ଏକ ସୁନ୍ଦର ପୃଥିବୀ ଗଢି ତୋଳିବା ।
ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଡି.ଏଫ୍.ଓ. ସୋନି ଖୋଖର, ପ୍ରୋବେସନାରୀ ଆଇ.ଏ.ଏସ୍. ମ୍ରିଣାଲିକା ରାଠୋର, ଉପାଧ୍ୟକ୍ଷା ଏସ୍. ଶାରଦା ରେଡ୍ଡୀ, ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବିଶ୍ବନାଥ ନୀଳାମ୍ବର (ଆଇ.ଏଫ୍.ଏସ୍), ବ୍ଲକ୍ ଉନ୍ନୟନ ଅଧିକାରୀ ସମ୍ବିତ୍ ସାହୁ, ଭିକାରୀପଲ୍ଲୀ ସରପଞ୍ଚ ମମତା ସୁବୁଦ୍ଧି, ସମିତି ସଭ୍ୟା ଏନ.କାନ୍ତାମ୍ମା ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୫୭ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନା ପ୍ରଦାନ କରାଯାଇଥିଲା । ୧୨ ଗୋଟି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୧୫ ଲକ୍ଷ ୫୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ସମସ୍ତ ବ୍ଲକ୍, ଗ୍ରାମ ପଞ୍ଚାୟତ, ବିଦ୍ୟାଳୟ ଓ ମହାବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନରେ ଆଜି ମାଆ ପାଇଁ ଗଛଟିଏ ରୋପଣ କରିଛନ୍ତି ।