ବାଲେଶ୍ୱରରେ ଜିଲ୍ଲା ସ୍ତରୀୟ ମତଦାତା ଦିବସ ପାଳିତ

ବାଲେଶ୍ବର, (ସରୋଜ ପଣ୍ଡା): ଆଜି ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଡିଟରିୟ ଗୃହରେ ଜିଲ୍ଲା ନିର୍ବାଚନ ବିଭାଗ ଆନୁକୂଲ୍ୟରେ ୧୬ତମ ମତଦାତା ଦିବସ ପାଳିତ ହୋଇଯାଇଛି । ସକାଳ ୭ ଘଟିକା ସମୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ହୋଇଥିଲା । ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସମେତ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଶୋଭାଯାତ୍ରା ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଡିଟୋରିୟମଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ ଅଧ୍ୟକ୍ଷତା କରିଥିଲେ। ତାଙ୍କ ସହିତ ସମ୍ମାନୀୟ ନୀଳଗିରି ଉପ ଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ଅତିରିକ୍ତ ବାଲେଶ୍ୱର ଉପ ଜିଲ୍ଲାପାଳ ପ୍ରମୋଦ କୁମାର ନାୟକ, ଡେପୁଟି କଲେକ୍ଟର ସମୀକ୍ଷା ବେହେରା, ପ୍ରମୋଦ କୁମାର ମଲ୍ଲିକ, ଐଶ୍ୱର୍ଯ୍ୟା ମହାଲିକ, ଆସିଷ୍ଟାଣ୍ଟ କଲେକ୍ଟର ସୁବ୍ରତ କୁମାର ଘୋଷ ଏବଂ ଜିଲ୍ଲା କ୍ରିଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସିନ ଥିଲେ।   ମତଦାତାମାନଙ୍କୁ ସଚେତନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ନିର୍ବାଚନ ସମୟରେ ନିଜର ମତଦାନ କରିବାକୁ ଆମ ଦେଶର ସମ୍ବିଧାନ ଆମକୁ ଅଧିକାର ଦେଇଛି । ମତଦାନ ଦେଇ ଆମ୍ଭେ ଉଚିତ ବ୍ୟକ୍ତିମାନଙ୍କୁ କ୍ଷମତାରେ ରଖି ଦେଶର ଭବିଷ୍ୟତକୁ ଉଜ୍ଜଳ କରିପାରିବା। ସେଥିପାଇଁ ସମସ୍ତ ଯୋଗ୍ୟ ମତଦାତାମାନେ ମତଦାନ ଦେବା ବାଧ୍ୟ ବୋଲି ମଞ୍ଚାସିନ ଅତିଥି ମାନେ ନିଜର ବକ୍ତବ୍ୟରେ କହିଥିଲେ ।  ସଭାରେ ଗୃହରେ ଉପସ୍ଥିତ ସମସ୍ତେ ମତଦାନ ଉପରେ ଏକ ଶପଥ ପାଠ କରିଥିଲେ । ବତ୍କୃତା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ୱାଲ ମାଗାଜିନ୍ ଓ ପୋଷ୍ଟର ପ୍ରତିଯୋଗିତାରେ ଜିତିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସଭାରେ ୧୨ ଜଣ ନୂତନ ମତଦାତା ମାନଙ୍କୁ ଭୋଟ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ନିର୍ବାଚନ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ପାରଦର୍ଶିତା ଦେଖାଇ ଥିବାରୁ ବାଲେଶ୍ୱର ଜିଲ୍ଲାର ୮ ଜଣ BLO, ୮ଜଣ BLO Supervisor, ୪ ଜଣ EROଙ୍କୁ ସମ୍ମାନିତ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ