ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

କଟକ, (ଓ୍ବାଇଏନଏସ): ଡାହାଣୀ ସନ୍ଦେହରେ ଘଟୁଥିବା ନିର୍ଯାତନା ଭଳି ଅମାନବିକ କୁପ୍ରଥାକୁ ରୋକିବା ଓ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଅଧକ୍ଷତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଡାହାଣୀ ସନ୍ଦେହ ନାମରେ ନିର୍ଦ୍ଦୋଷ ବ୍ୟକ୍ତି , ବିଶେଷ କରି ନାରୀ ନିର୍ଯାତନା, ସାମାଜିକ ବହିଷ୍କାର ଓ ହିଂସା ,ହତ୍ୟା ଭଳି ଅମାନୁଷିକ କାଣ୍ଡ ରୋକିବା ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଏହାର ମୂଳୋତ୍ପାଟନ କରିବାକୁ ଚେଷ୍ଟା ଜାରି ରଖିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଡାହାଣୀ ଏକ ଭ୍ରାନ୍ତଧାରଣା, ବହୁଚରିତ୍ର ସ୍ଵଭାବ ଭଳି ଏହା ଏକ ମାନସିକ ରୋଗ, ଗୁଣିଆ ପାଖକୁ ନଯାଇ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବାକୁ କର୍ମଶାଳାରେ ଯୋଗଦେଇ ବିଶେଷଜ୍ଞ ଶ୍ରୀଯୁକ୍ତ ଦେବେନ୍ଦ୍ର ସୁତାର ପରାମର୍ଶ ଦେବା ସହ ବିଭିନ୍ନ ଅଞ୍ଚଳରେ ଘଟିଥିବା ଡାହାଣୀ ସନ୍ଦେହ ଘଟଣା ସମ୍ପର୍କରେ ନିଜର ଅଭିଜ୍ଞତା ବ୍ୟାଖା କରିଥିଲେ । ବିଶେଷଜ୍ଞ ଶ୍ରୀମତୀ ଶର୍ମିଷ୍ଠା ନାଥ ଯୋଗଦେଇ କହିଥିଲେ , ଯଦିଓ ବିଜ୍ଞାନ ଯୁଗରେ ଆମେ ବଞ୍ଚୁଛନ୍ତି ତଥାପି ଡାହାଣୀ ସନ୍ଦେହ ଭଳି କୁପ୍ରଥା ଏବେ ଯାଏ ସଂପୂର୍ଣ୍ଣ ଭାବେ ସମାଜରୁ ଦୂର ହୋଇନାହିଁ । ଏହା ଏକ ପ୍ରକାର ଘରୋଇ ହିଂସା, ଏହା ଘରଠାରୁ ଆରମ୍ଭ ହୋଇ ସମାଜ କୁ ବ୍ୟାପିଛି ତେଣୁ ଏ ନେଇ ନିଜ ପରିବାରରୁ ହିଁ ସଚେତନତା ଆରମ୍ଭ ହେବା ଆବଶ୍ୟକ। ଡି.ଏସ୍.ପି ଶ୍ରୀଯୁକ୍ତ ସୁନୀଲ କୁମାର ବେହେରା ଓଡିଶା ଡାହାଣୀ ଶିକାର ନିରାକରଣ ଆଇନ ୨୦୧୩ ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ଆଇନଗତ ଦଣ୍ଡବିଧାନ ସମ୍ପର୍କରେ ଅଂଶଗ୍ରହଣକାରୀ ଙ୍କୁ ଅବଗତ କରାଇଥିଲେ । ଡାହାଣୀ ସନ୍ଦେହ ଦ୍ଵାରା ଜଣେ ନାଗରିକର ୩ଟି ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥାଏ, ତାହା ହେଉଛି ଧାରା-୧୫ ଲିଙ୍ଗଗତ ଭେଦଭାବ ,ଧାରା- ୧୪ ଆଇନଗତ ଅଧିକାର କ୍ଷୁର୍ଣ୍ଣ , ଏବଂ ଧାରା-୨୧ ସମାଜରେ ସମ୍ମାନର ସହିତ ବଞ୍ଚିବାର ଅଧିକାର । ଡାହାଣୀ ଭଳି କୁପ୍ରଥା କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ କର୍ମଶାଳାରେ ଆହ୍ଵାନ ଦିଆଯାଇଥିଲା । ଏହି ଅବସରରେ ବିଭିନ୍ନ ବ୍ଲକରୁ ଆସିଥିବା ଅଙ୍ଗନବାଡି କର୍ମୀ, ଆଶା, ସରପଞ୍ଚ ,କିଶୋରୀ ବାଳିକା , ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଶେଷଜ୍ଞ ମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କର୍ମଶାଳାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ରଶ୍ମିତା ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମୋନାଲିସା ଧଳ ଓ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବବିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ