କେନ୍ଦ୍ରାପଡା ଜିଲ୍ଲା ପାଇଁ ମେଡିକାଲ କଲେଜ ଘୋଷଣା ପାଇଁ ଜିଲ୍ଲାବାସୀଙ୍କ ଦାବି
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ): ମେଡିକାଲ କଲେଜ ପ୍ରତିଷ୍ଠା କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ପାଇଁ କେବଳ ଦାବି ନୁହେଁ। ଏହା ଜିଲ୍ଲାର ସ୍ୱାଭିମାନ ଓ ସମ୍ମାନର ପ୍ରଶ୍ନ ହେଇ ଯାଇଛି। ରାଜ୍ୟରେ ତିନୋଟିି ମେଡିକାଲ କଲେଜ ଥିଲାବେଳେ କେନ୍ଦ୍ରାପଡା ଜିଲ୍ଲାବାସୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ପୂର୍ବ ସରକାର ଠାରୁ ଏବର ସରକାର ପର୍ଯ୍ୟନ୍ତ ସତରଟି ମେଡିକାଲ କଲେଜ ଘୋଷଣା ହେଲାଣି।କିନ୍ତୁ କେନ୍ଦ୍ରାପଡା ସେଥିରୁ ବାଦ ପଡିଛି। କେନ୍ଦ୍ରାପଡା ଏକ ଆର୍ôଥକ ଅନଗ୍ରସର ଜିଲ୍ଲା। ଆବଶ୍ୟକୀୟ ଭିଭିଭୂମିର ଅଭାବରୁ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ହୋଇପାରୁ ନଥିବାରୁ ନିକଟ ଭବିଷ୍ୟତରେ ଏହି ସ୍ଥିତିରେ ପରିବର୍ତ୍ତନ ଆସିବାର ସମ୍ଭାବନା ଦେଖାଯାଉ ନାହିଁ। ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୩ନମ୍ବର ଜାତୀୟ ରାଜପଥ ଓ ରେଳପଥ ପାଇଁ ଜିଲ୍ଲାବାସୀ ହଜାର ହଜାର ଏକର ଚାଷଜମି ଓ ଭିଟାମାଟି ହରାଇଥିବା ବେଳେ ସେଥିଯୋଗୁଁ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି। ଏଥିସହିତ ପାରାଦୀପର ଶିଳ୍ପ କାରଖାନା ଗୁଡିକରୁ ନିଷ୍କାସିତ ବର୍ଜ୍ୟବସ୍ତୁ ତଥା ବିଷାକ୍ତ ଗ୍ୟାସ ଜିଲ୍ଲାର ହଜାର ହଜାର ଅଧିବାସୀଙ୍କ ଅନେକ ଦୁରାରୋଗ୍ୟର କାରଣ ହୋଇଛି। ପୂର୍ବ ସରକାର ୨୪ ବର୍ଷ ମଧ୍ୟରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୩ ରୁ ୧୩ ରେ ପହଞ୍ଚାଇ ଥିଲେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ସେଥିରୁ ବାଦ ପଡିଥିଲା। ସରକାର ପରିବର୍ତ୍ତନ ହେଲା। ଜିଲ୍ଲାବାସୀ ନୂଆ ସରକାରଙ୍କ ଠାରୁ ସୁବିଚାର ଆଶା କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ନିକଟରେ ରାଜ୍ୟରେ ଆଉ ଚାରିଗୋଟି ମେଡିକାଲ କଲେଜ ପାଇଁ ଘୋଷଣା କରିଥିଲେ ମଧ୍ୟ ପୁଣି କେନ୍ଦ୍ରାପଡା ଏଥିରୁ ବାଦ ପଡିବା ଜିଲ୍ଲାବାସୀଙ୍କୁ ମର୍ମାହତ୍ କରିଛି। ଡବଲ ଇଞ୍ଜିନ ସରକାରର ମନ୍ତ୍ରୀ ଓ ବିଧାୟକମାନେ ଅନୌପଚାରିକ ଭାବେ ଭିନ୍ନ ଭିନ୍ନ ସମୟରେ ସରକାରଙ୍କ ଅସ୍ତିବାଚକ ଆଭିମୁଖ୍ୟ ପ୍ରକାଶ କରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି। ଏ ସମ୍ପର୍କରେ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ପଷ୍ଟ ଲିଖିତ ଉତ୍ତର ଆଶା କରିବା ସଙ୍ଗେ ସଙ୍ଗେ ଆସନ୍ତା ମୌସୁମୀ ଅଧିବେଶନ କାଳରେ ବିଧାନସଭାରେ ମେଡିକାଲ କଲେଜ ଘୋଷଣା ଓ ସେଥିଲାଗି ଆନୁଷଙ୍ଗିକ ଆର୍ôଥକ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଦାବି କରି ମଙ୍ଗଳବାର ଦିନ “କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହାସପାତାଳ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗଣଧାରଣରେ ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସମ୍ପାଦକ ରାମଣୀରଞ୍ଜନ ରାଉତରାୟ, ଆବହକ ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ସଂଦୀପ୍ତ ଦାସ, ମୁକ୍ତାର ଖାଁ, ଫକୀର ଖଟୁଆ, ଆଦିକନ୍ଦ ରାଉଳ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ସରୋଜରାଜ ସିଂ, ଡ଼. ଉପେନ୍ଦ୍ର ପ୍ରଧାନ, ନରୋତ୍ତମ ପାର୍ଥସରଥୀ, ପ୍ରକାଶ ମହାନ୍ତି, ଦାଶରଥି ସାହୁ, ରାଜକୁମାର ବିଶ୍ୱାଳ, ଗୋଲକ ଚନ୍ଦ୍ର ମହାଭୋଇ, ପ୍ରତାପ ପରିଡା, ମଙ୍ଗୁଳି ଚରଣ ବେହେରା, ରବୀନ୍ଦ୍ର ବେହେରା, ନିରାକାର ଜେନା, ବୈଷ୍ଣବ ସ୍ୱାଇଁ, ବିଜୟ ଦାସ, ସୂର୍ଯ୍ୟକାନ୍ତ ପରିଡା, ଶ୍ରୀଧର ମହାନ୍ତି, ରବୀନ୍ଦ୍ର ଜେନା, ପ୍ରଭାକର ସାମଲ, ଅଭିମନ୍ୟୁ ରାଉର, କାଶୀନାଥ ରାଉତରାୟ, ମହେନ୍ଦ୍ର ପଟ୍ଟନାୟକ, ବିଜୟ ନାୟକ, ଅନୁସୂୟା ମହାନ୍ତି, ସୁହାନା ବେଗମ, ସୁରେଶ୍ଚନ୍ଦ୍ର ପଟ୍ଟନାୟକ, ବିକାଶଚନ୍ଦ୍ର ବେଉରା, ଅବଧୂତ ରାଉତ, ରଣାଧୀର ଜେନା, ସୀତାକାନ୍ତ ନାୟକ, ପ୍ରେମାଲତା ସ୍ୱାଇଁ, ସୁଧାଂଶୁ ରାୟ, ଗଙ୍ଗାଧର ପରିଡା, ଦୋଳଗୋବିନ୍ଦ ସାହୁ, ସତ୍ୟପ୍ରିୟ ସାମଲ, ଶ୍ରୀକାନ୍ତ ଲେଙ୍କା, ଆଲୋକ ସାହୁ, ଆକବର ଅଲ୍ଲୀ, ସୟଦ ଅକମଲ ଅଲ୍ଲୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଆସନ୍ତା ମୌସୁମୀ ଅଧିବେଶନରେ ମେଡିକାଲ କଲେଜ ଘୋଷଣା ନହେଲେ ଜିଲ୍ଲାରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ସଭାରେ ଆହ୍ୱାନ ଦିଆଯାଇଥିଲା। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରେରିତ ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ରବୀନ୍ଦ୍ର କୁମାର ମଲ୍ଲିକ ସଭାସ୍ଥଳକୁ ଆସି ଗ୍ରହଣ କରିଥିଲେ।


