ଖାଲି ପଡିଛି ଡାକ୍ତର ଓ ଫାର୍ମାସିଷ୍ଟ ପଦବୀ: ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ ଠପ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୋଷାଣି ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତଥା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଏବଂ ଫାର୍ମାସିଷ୍ଟ ପଦବୀ ଦୀର୍ଘ ଦିନ ଧରି ଖାଲି ପଡିଛି. ଏଠାରେ କେବଳ ଜଣେ ଆୟୁଷ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ଚାଲିଛି. ଏଲୋପଥ୍ ଚିକିତ୍ସା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଯଦ୍ୱାରା ଏହି ଆରୋଗ୍ୟ ମନ୍ଦିରରେ ରୋଗୀ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ ଭାବେ ଠପ ହୋଇଯାଇଛି. ତଥ୍ୟ ସଂଗ୍ରହ ବେଳେ ଜଣାପଡ଼ିଛି ଯେ, କିଛି ବର୍ଷ ପୂର୍ବେ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ଏଠାରେ କାମଚଳା ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ସେ କିଛି ମାସ ପୂର୍ବେ କାମରୁ ବିରତ ନେଇଛନ୍ତି. ସେହି ଡାକ୍ତର ପଦବୀ ଆଜି ପର୍ଯ୍ୟନ୍ତ ଖାଲି ପଡିଛି. ସେହିପରି ଏଥିପୂର୍ବରୁ ଏଠାରେ ଜଣେ ଫାର୍ମାସିଷ୍ଟ ନିଯୁକ୍ତ ଥିଲେ । ତେବେ ତାଙ୍କ ଅବସର ପରେ ସେହି ପଦବୀରେ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ। ଉଭୟ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ସ୍ଥାନରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିଯୁକ୍ତି ନକରିବା ଫଳରେ ଏବେ ରୋଗୀସେବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡିଛି। ଅତି ତୁରନ୍ତ ଡାକ୍ତର ଓ ଫାର୍ମାସିଷ୍ଟ ପଦବୀକୁ ପୂରଣ କରାଯାଇ ସାଧାରଣଙ୍କୁ ଉଚିତ ସେବା ପ୍ରଦାନ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।


