୫ମାସ ହେବ ଡ଼ାକ୍ତରଖାନାରେ ନାହାନ୍ତି ଡାକ୍ତର: ରୋଗୀ ହନ୍ତସନ୍ତ
ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ସୋସୋ ଡ଼ାକ୍ତରଖାନାରେ ୫ମାସ ହେବ ଡାକ୍ତର ନଥିବାରୁ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଏହି ଡାକ୍ତରଖାନା ଉପରେ ସୋସୋ, ବାଲିବରେଇ, ବାଙ୍ଗୋର, ପଢ଼ିଆରିପଲ୍ଲୀ ଆଦି ପଞ୍ଚାୟତର ୨୦ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରିଥାନ୍ତି। କିନ୍ତୁ ଗତ ୫ମାସ ହେଲା ଡାକ୍ତର ନଥିବାରୁ ରୋଗୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଯେଉଁ ଡାକ୍ତର ନିଯୁକ୍ତି ପାଇଥିଲେ ସେ ଉଚ୍ଚ ଶିକ୍ଷାପାଇଁ ଛୁଟିରେ ଯିବାରୁ ଡାକ୍ତରଖାନା ଟି ଡାକ୍ତର ବିହୀନ ହୋଇ ପଡିଛି। ପ୍ରତିଦିନ ଦୂର ଦୁରାନ୍ତରୁ ରୋଗୀମାନେ ଆସି ନିରାଶ ହୋଇ ଫେରି ଯାଉଛନ୍ତି। ବିଶେଷ କରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଏହି ଡ଼ାକ୍ତରଖାନାରେ ବର୍ଷର ୭/୮ମାସ ଡାକ୍ତର ବିହୀନ ହେଉଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ପୂର୍ବତନ ସରପଞ୍ଚ ବୈଲୋଚନ ନାୟକଙ୍କ ନେତୃତ୍ବରେ ଅନେକ ଗ୍ରାମବାସୀ ଆଜି ଜିଲ୍ଲାପାଳ ଙ୍କୁ ଭେଟି ଅଭିଯୋଗ କରିବା ସହିତ ଡାକ୍ତର ନିଯୁକ୍ତି ନେଇ ଦାବି କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କିଶୋର କୁମାର ପୃଷ୍ଟି ଅଳ୍ପ ଦିନ ଭିତରେ ଡାକ୍ତର ନିଯୁକ୍ତି ନେଇ ପ୍ରତିଶୃତି ଦେଇଛନ୍ତି।