ଗଜପତିରେ ପିଇବା ପାଣିର ସଙ୍କଟ: ପାଣି ଆଣିବାକୁ ଯିବାକୁ ପଡ଼ୁଛି ୨ କିମି ପାଦ ଚଲା ରାସ୍ତା

 ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ଖରାଦିନ ଆରମ୍ଭରୁ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଛି. ଏପରିକି ଅନେକ ଜାଗାରେ ପିଇବା ପାଣି ସଂଗ୍ରହ କରିବା ପାଇଁ ଲୋକେ ବହୁ ଦୁଃଖ ଯନ୍ତ୍ରଣା ପାଉଛନ୍ତି. ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଲାଇଲାଇ ଗାଁରେ ଜଳ ସଙ୍କଟ ଦେଖାଦେଇଛି. ଲୋକେ ପିଇବା ପାଣି ପାଇଁ 2 କିମି ଦୂରରେ ଥିବା ଏକ ନାଳରୁ ପିଇବା ପାଣି ସଂଗ୍ରହ କରି ଆଣୁଥିବା ଲକ୍ଷ୍ୟ କରାଯାଇଛି. ଏହି ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି, ଲାଇଲାଇ ଗ୍ରାମରେ 1 ହଜାରରୁ ଉର୍ଦ୍ଧ ଗ୍ରାମବାସୀ ବସବାସ କରୁଛନ୍ତି. ଏହି ଗ୍ରାମରେ 3 ଗୋଟି ନଳକୂଅ ରହିଛି. ହେଲେ ସେଥିରୁ ନିର୍ଗତ ହେଉଥିବା ପାଣିକୁ କେହି ବ୍ୟବହାର କରିପାରୁନାହାନ୍ତି. ତେଣୁ ଲୋକେ ଗାଁ ଠାରୁ 2 କିମି ଦୂରରେ ରହିଥିବା ଏକ ପାହାଡିଆ ନାଳରୁ ପିଇବା ପାଣି ସଂଗ୍ରହ କରି ଆଣୁଛନ୍ତି. ଏହି ପାଣି ହିଁ ସେମାନଙ୍କ ପିଇବା, ରୋଷେଇ ସମେତ ନିତ୍ୟ ବ୍ୟବହାର କରାଯାଉଛି. ଏହି ନାଳ ପାଣି ବ୍ୟବହାର ଦ୍ୱାରା ବେଳେବେଳେ ଏହି ଗ୍ରାମବାସୀମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ପ୍ରକାଶ କରି କହିଛନ୍ତି ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଲାଇଲାଇ ଗ୍ରାମରେ ପାଣିର ସୁବ୍ୟବସ୍ଥା କରନ୍ତୁ. ଘଟଣା ନେଇ ଆମ ପ୍ରତିନିଧି ଗଜପତି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ମୋବାଇଲ ଦ୍ୱାରା ଯୋଗାଯୋଗ କରିଥିଲେ. ହେଲେ ଆଜି ରବିବାର ଥିବା ଯୋଗୁଁ ସେ କୌଣସି ଉତ୍ତର ଦେଇପାରିନାହାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ