ଅସ୍ତରଙ୍ଗ ବ୍ଲକ ଅଂଚଳର ବିଭିନ୍ନ ଛକରେ ଡ୍ରଗ୍ସ ମାଫିଆ : ଅଶାନ୍ତ ହେଉଛି ବାତାବରଣ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଚିନ୍ତା ବଢ଼ାଇଲାଣି ଧଳା ଜହର ମାଫିଆ କାରନାମା। ଏହି ଧଳା ପାଉଡର ବେପାର ଏବେ ଏମିତି ବଢ଼ିଲାଣି ଯେ ଗାଁ ଗାଁରେ ଅଶାନ୍ତ ହେଲାଣି ବାତାବରଣ। ମଦ ନିଶା ଠାରୁ ଅଧିକ ଡ୍ରଗ୍ସ ନିଶାରେ ସାମିଲ ହେବାକୁ ଯୁବଗୋଷ୍ଠୀ ଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ପୁରୀ ଜିଲ୍ଲା କାକଟପୁର, ଅସ୍ତରଙ୍ଗ ଓ ନୂଆଗଡ ସାମୁଦ୍ରିକ ଥାନା ଅଂଚଳର ବିଭିନ୍ନ ଗାଁଗୁଡିକ ଛକରେ ଏହି ବ୍ରାଉନ ସୁଗାର କାୟା ବିସ୍ତାର କଲାଣି। ଅନ୍ୟ ପଟେ ଦେବୀ ନଦୀ ବନ୍ଦ, ନଈଗୁଆଁ କ୍ଲାସ ରୋଡ଼ ସମେତ କଲେଜ ଛକ ମାନଙ୍କ ରେ ଯୁବ ପୀଢ଼ି ବିକ୍ରି କରୁଥିବାର ଜଣାପଡିଛି। ନିଶା ସେବନକାରୀ ଙ୍କ ନିକଟରେ ପ୍ରତିଦିନ ଟଙ୍କା ଆବଶ୍ୟକ। ଅସ୍ତରଙ୍ଗ ବ୍ଲକ ଅଂଚଳରେ ଆତଜାତ ହେଉଥିବା ଡ୍ରଗ୍ସ ମାଫିଆ ମାନେ ଏହି ନିଶା ସେବନକାରୀ ନିଶାଡୀଙ୍କୁ ଟାର୍ଗେଟ କରି ଏମିତି ଅଭ୍ୟସ୍ତ କରି ଦେଲେଣି ଯେ ଯେମିତି ହେଉ ସନ୍ଧ୍ୟାବେଳେ ଡ୍ରଗ୍ସ ନ ମିଳିଲେ ଏମାନେ ପାଗଳ ହୋଇଯାଉଛନ୍ତି। ଏପରିକି କିସ୍ତି ଅନୁସାରେ ଡ୍ରଗ୍ସ ବାକି ପେମେଣ୍ଟ ନେଉଛନ୍ତି ଛୋଟ ବେପାରୀ। ଏହି କିସ୍ତି ସମୟ ହୋଇଗଲା ବେଳକୁ ବେପାରୀଙ୍କର ଆକଟ ଯୋଗୁଁ ପାଗଳ ପ୍ରାୟ ହୋଇ ଏହି ନିଶାଡୀ ମଠ ମନ୍ଦିରର ହୁଣ୍ଡୀ ବାକ୍ସ ଉପରେ ଲୋଲୁପ ଦୃଷ୍ଟି ପକାଉଛନ୍ତି। ଗତ କିଛି ମାସ ହେବ କାକଟପୁର, ଅସ୍ତରଙ୍ଗ ଓ ନୂଆଗଡ ସାମୁଦ୍ରିକ ଥାନା ଅଂଚଳରୁ ଅନେକ ମନ୍ଦିର ରୁ ଚୋରି ହୋଇଥିବା ବେଳେ ପୋଲିସ କିନ୍ତୁ ଅଭିଯୁକ୍ତ କୁ ଧରିବା ରେ ବିଫଳ। ଚୋରି ବଡ଼ ଧରଣର ହେଉ ନଥିଲେ ବି ସମସ୍ତ ମନ୍ଦିରକୁ ମିଶାଇ ଲକ୍ଷାଧିକ ମୂଲ୍ୟର ସୁନା ରୁପା ଅଳଙ୍କାର ସମେତ ବିଭିନ୍ନ ସାମଗ୍ରୀ ଚୋରି ହୋଇଛି। ଏହି ଚୋରି ପଛରେ ଜଡିତ ନିଶାଖୋର ବୋଲି ପାରିପାର୍ଶ୍ଵିକ ଅବସ୍ଥା ବୟାନ କରୁଛି। ଏମାନେ ମନ୍ଦିର ପୂଜାରେ ବ୍ୟବହାର ହେଉଥିବା କଂସା ଓ ପିତଳ ସାମଗ୍ରୀ ଏପରିକି କି ଘଣ୍ଟି ମଧ୍ୟ ଛାଡୁ ନାହାନ୍ତି। ସ୍ଥାନୀୟ ଅଂଚଳରେ ଦିନକୁ ଦିନ ଅବାଧ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି। ମୁଖ୍ୟତଃ ଅଳ୍ପ ବୟସର ଯୁବଗୋଷ୍ଠୀ ଏହାର ବଡ଼ ଗ୍ରାହକ ସାଜିଛନ୍ତି। ଏମାନଙ୍କ ମଧ୍ୟରେ ୧୮ରୁ ୨୫ବର୍ଷ ଯୁବକ ସଂଖ୍ୟା ବେଶୀ। ବ୍ରାଉନସୁଗାର ହେଉକି ମଦ ଏଥିପାଇଁ ପ୍ରତ୍ୟେହ ଯେଉଁ ପରିମାଣରେ ଅର୍ଥର ଆବଶ୍ୟକତା ରହିଛି ତାକୁ ପୂରଣ କରିବା ଏହି ଅଭ୍ୟସ୍ତ ଙ୍କ ପାଈଁ କଷ୍ଟକର ହୋଇଯାଉଛି। ପ୍ରତ୍ୟେକ ଦିନ ନିଦ୍ଧିଷ୍ଟ ସମୟ ହେଲେ ଏମାନଙ୍କର ଦରକାର ପଡୁଛି ଧଳା ଜହର। ଏଥିପାଇଁ ଟଙ୍କା ଯୋଗାଡ଼ କରିବା ଲାଗି ଶେଷରେ ଅଭ୍ୟାସଗତ ନିଶାଡୀ ଯୁବକ ମାନେ ଅପରାଧକୁ ଓଲ୍ହାଉଛନ୍ତି। କିଛି ଯୁବକ ନିଶା ଖାଇବା ପରେ ବିଭିନ୍ନ ଛକରେ ହଙ୍ଗାମା କରୁଥିବା ବେଳେ ଆଉ କେତେକ ଛୋଟ ବଡ଼ ଅପରାଧ ଘଟାଉଛନ୍ତି। କିଛି ନିଛାଟିଆ ରାସ୍ତା ଏମାନଙ୍କ ବିଚରଣ ସ୍ଥାନ ହୋଇଛି। ନିଶା କବଳିତ ଯୁବବର୍ଗ ସେମାନଙ୍କ କୁଭ୍ୟାସକୁ ଚରିତାର୍ଥ କରିବା ପାଈଁ ଏବେ ମନ୍ଦିରକୁ ଟାର୍ଗେଟ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ