ଅସରାଏ ବର୍ଷା ହେଲେ ଅର୍ଶଳା ଗାଁ ଦାଣ୍ଡରେ ଜମି ରହୁଛି ପାଣି
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ର ଅର୍ଶଳା ଗାଁ ରେ ଅସରାଏ ବର୍ଷା ହେଲେ ଦିନ ଦିନ ଧରି ବର୍ଷା ପାଣି ଜମି ରହିବା ଫଳରେ ଗ୍ରାମବାସୀ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି ଅର୍ଶଳା ଗାଁ ଦାଣ୍ଡ ଟି ପିଡବ୍ଲ୍ୟୁଡି ବିଭାଗ ଅଧିନରେ ରହିଛି। ବିଭାଗ ତରଫରୁ ରାସ୍ତା ନିର୍ମାଣ କରିବା ସମୟରେ ବର୍ଷା ପାଣି ନିଷ୍କାସନ କରିବା ପାଇଁ ରାସ୍ତା ର ଉଭୟ ପାର୍ଶ୍ବରେ ଡ୍ରେନ ନିର୍ମାଣ କରି ନଥିବା ରୁ ବର୍ତ୍ତମାନ ବର୍ଷା ପାଣି ନିଷ୍କାସନ ହୋଇ ପାରୁ ନାହିଁ। ଯାହା ଫଳରେ ରାସ୍ତା ଉପରେ ଦିନ ଦିନ ଧରି ବର୍ଷା ପାଣି ଜମି ରହୁଛି। ଅର୍ଶଳା ଗାଁ ଦାଣ୍ଡ ଟି ଉପରେ ସକାଳ ରୁ ରାତି ପର୍ଯ୍ୟନ୍ତ ପ୍ରତିଦିନ ୧୫ ରୁ ଉର୍ଦ୍ଧ୍ବ ପଞ୍ଚାୟତ ର ଜନସାଧାରଣ ବାଇକ ଠାରୁ ଆରମ୍ଭ କରି ସାଇକଲ ତଥା ଚାରିଚକିଆ ଯାନ ରେ ଯାତାୟତ କରୁଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ଯାତ୍ରୀବାହୀ ବସ ଗୁଡ଼ିକ ମଧ୍ୟ ବିଭିନ୍ନ ସ୍ଥାନକୁ ଯାତାୟତ କରୁଛି। ରାସ୍ତା ଉପରେ ପାଣି ଜମି ରହୁଥିବାରୁ ରାସ୍ତା ଦେଇ ଗାଡି ଗୁଡିକ ଦ୍ରୁତ ଗତିରେ ଯାଅ ଆସ କରିବା ସମୟରେ ଗାଁ ଦାଣ୍ଡରେ ଜମି ରହିଥିବା ବର୍ଷା ପାଣି ଛିଟିକି ରାସ୍ତା ପାର୍ଶ୍ବରେ ରହିଥିବା ମାଟି ଘରର କାନ୍ଥ ଓଦା ହୋଇ ଯାଉଛି। ଯାହା ଫଳରେ ମାଟି କାନ୍ଥ ଗୁଡ଼ିକ ଛିଟିକା ଓଦା ହୋଇ ଦୋହଲି ଯାଉଛି। ଚଳିତବର୍ଷ ଏହି ରାସ୍ତା ପ୍ରସସ୍ତି କରଣ ହୋଇଛି କିନ୍ତୁ ଗାଁ ଦାଣ୍ଡ ର ଉନ୍ନତି କରଣ ହୋଇ ପାରିଲା ନାହିଁ। ବର୍ଷା ଦିନ ଆସିଗଲେ ଗ୍ରାମବାସୀ ଙ୍କ ଦୁଃଖ ବଢି ଯାଇଥାଏ। ଗାଁ ଦାଣ୍ଡରେ ଜମି ରହୁଥିବା ବର୍ଷା ପାଣି କୁ ନିଷ୍କାସନ କରିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣ ଙ୍କ ତରଫ ରୁ ଦାବି ହେଉଛି।