କୁରୁକି ପୋଲ ବାଡା ନିର୍ମାଣ କାର୍ଯ୍ୟ ନିମ୍ନମାନର ଯୋଗୁ ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତର କୁରିକି ରାଜସ୍ୱ ଗ୍ରାମଟି ଗୋବରୀ ନାଳର ଅପରପାଶ୍ୱର୍ରେ ଅବସ୍ଥିତ। ଏହି ଗ୍ରାମକୁ ଯିବା ଆସିବା କରିବା ପାଇଁ ଗୋବରୀ ନାଳରେ ଏକ ପୋଲ ନିର୍ମାଣ କରାଯାଇଛି। ଏହି ପୋଲ ଦେଇ ଗ୍ରାମର ଲୋକମାନେ ଯାତାୟତ କରିଥାନ୍ତି। ପୋଲଟି କେଉଁ ବିଭାଗ ଅଧିନରେ ରହିଛି ସଠିକ୍ ତଥ୍ୟ ନଥିବା ବେଳେ ଗୋବରୀ ନାଳଟି ଜଳ ନିକାସ ଅଧିନରେ ରହିଛି। ଦୀର୍ଘଦିନ ହେବ ପୋଲଟି ନିର୍ମାଣ କରାଯାଇଥିବା ବେଳେ ପୋଲର ଦୁଇ ପାଶ୍ୱର୍ରେ ଥିବା ବାଡା ସମେତ ପୋଲଟି ନଷ୍ଟ ହୋଇଯାଇଛି। ଏହି ନାଳରେ ଆଉ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ୨୦୨୧ମାର୍ଚ୍ଚ ୩୦ରେ ତତ୍କାଳିନ ବିଡିଓ ଓ ବିଧାୟକଙ୍କୁ ଲିଖିତ ଭାବେ ଜଣାଯାଇଥିଲା। କୌଣସି ସୁଫଳ ନ ମିଳିବାରୁ ୨୦୨୨ ଅଗଷ୍ଟ ୨ରେ ଜିଲ୍ଲାପାଳଙ୍କ ଜନଶୁଣାଣି ପ୍ରକୋଷ୍ଠରେ ମଧ୍ୟ ଅଭିଯୋଗ କରାଯାଇଥିଲା। କିନ୍ତୁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ବାଡା ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ କାଳକ୍ରମେ ତାହା ଭାଙ୍ଗି ଯାଇଥିଲା।ଯାହାଫଳରେ ଖୋଲା ପୋଲରେ ବୁଲା ଗୋରୁ ଗାଈ,ଏପରିକି ଗାଡି ମଟରରେ ଯିବା ଆସିବା କରୁଥିବା ଲୋକ ଅସାବଧାନତା ବଶତଃ ନାଳକୁ ଖସିପଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ସପ୍ତାହ ହେବ ଏହି ପୋଲର ବାଡାକୁ ଜଳ ନିକାସ ବିଭାଗ ପକ୍ଷରୁ ପୁନର୍ବାର ନିର୍ମାଣ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଖୁଲମଖୁଲା ଭାବେ ସରକାରୀ ନିୟମକୁ ଉଲଘଂନ କରାଯାଉଛି। କାର୍ଯ୍ୟସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇ ନଥିବା ବେଳେ ବାଡାରୁ ବାହାରି ଥିବା ପୁରୁଣା କଳଙ୍କି ଲଗା ରଡରେ କାର୍ଯ୍ୟ ଜାରି ରହିଥିବା ଦେଖାଯାଇଛି। ଏପରିକି ବାଡାର ଶେଷ ପର୍ଯ୍ୟନ୍ତ ଭଙ୍ଗା ନଯାଇ ଅଧା ପର୍ଯ୍ୟନ୍ତ ଭଙ୍ଗା ଯାଇ କାର୍ଯ୍ୟ ଜାରି ରହିଛି। କାର୍ଯ୍ୟ ଚାଲୁଥିବା ସମୟରେ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ରହୁ ନାହାନ୍ତି। ଯାହାଫଳରେ ନିଯୁକ୍ତ ଠିକାଦାର ମନଇଚ୍ଛା ଭାଗ ମାପରେ କାର୍ଯ୍ୟ ସାରି ଦେବାକୁ ବସିଛି। ନିମ୍ନମାନର କାର୍ଯ୍ୟ ଯୋଗୁ ବାଡାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ କାର୍ଯ୍ୟକୁ ସଠିକ୍ ଭାବେ କରିବା ପାଇଁ ଗ୍ରାମବାସୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। କାର୍ଯ୍ୟ ସଂପର୍କରେ ବିଭାଗର ଏସଡିଓ ସୁମନ ଘୋଷଙ୍କୁ ପଚାରିବାରେ ଯେଉଁ ରଡ ଭଲ ରହିଛି ତାହା ସହିତ ନୂତନ ରଡ ବନ୍ଧା ଯାଇ କାର୍ଯ୍ୟ କରାଯିବ। ଯେଉଁ ରଡ ଖରାପ ରହିଛି ତାକୁ ବାଦ କରାଯାଇ ସେଠାରେ ଓଲଡିଂ ମରାଯାଇ ନୂତନ ରଡ ଦିଆଯାଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।