ଆସିକାରେ ଚଢାଦରରେ ବିକ୍ରୀ ଚାଲିଛି ଖାଇବା ତେଲ !
ଆସିକା (ୱାଇଏନ୍ଏସ୍) : ଗତ କିଛି ଦିନ ହେଲା ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ହାଣ୍ଡିଶାଳକୁ ଘାରିଛି ତେଲଦର ବୃଦ୍ଧିର ଟେନସନ୍ । ଯାହାରି ଫଳରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ପରିବାରବର୍ଗ ଚିନ୍ତାରେ ପଡିଯାଇଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ଖାଇବା ତେଲ ବିକ୍ରୀ କରୁଥିବା ବ୍ୟବସାୟୀ ନିଜ ନିଜର ଗୁପ୍ତ ଗୋଦାମରେ ପ୍ରଚୁର ପରିମାଣର ଖାଇବା ତେଲ ମହଜୁଦ ରଖି ପ୍ରିଣ୍ଟ ଦର ଠାରୁ ଅଧିକ ମୂଲ୍ୟରେ ସୁବିଧା ସୁଯୋଗ ଦେଖି ବିକ୍ରୀ କରୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନର ନୀରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଆସିକା ଅଞ୍ଚଳର କେତେକ ଅସାଧୁ ଖାଇବା ତେଲ ବିକ୍ରୀ କରୁଥିବା ବ୍ୟବସାୟୀ ଗତ କିଛି ଦିନ ହେଲା ବିଭିନ୍ନ ଆଳ ଦେଖାଇ ମନଇଛା ଦର କଷିବାରେ ଲାଗିଛନ୍ତି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ କିଛି ଦିନ ହେଲା ରନ୍ଧନ ଗ୍ୟାସ ସିଲିଣ୍ଡର ସଂକଟ ଦେଖାଦେଇଥିଲା ବେଳେ ଏବେ ବଜାରରେ କେତେକ ଖାଇବା ତେଲର କଳାବଜାର ହେଉଥିବା ଅଭିଯୋଗ ହେଉଛି । ଖାଇବା ତେଲର ଦର ବୃଦ୍ଧିକୁ ନେଇ ଅଧିକାଂଶ ଖାଉଟି ଚିନ୍ତାରେ ପଡିଯାଇଥିଲା ବେଳେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦୃଢ ଦାବୀ ହେଉଛି ।


