ଶିକ୍ଷା ସଚେତନତା ରଥ ପରିକ୍ରମା

ଆସିକା  (ୱାଇଏନ୍‍ଏସ୍‍) :ପୂର୍ବବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧୀକରଣ କର୍ତ୍ତୃପକ୍ଷ (ଓସେପା), ଜିଲ୍ଲା ସମଗ୍ର ଶିକ୍ଷାର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶନିବାର ଠାରୁ ଶିକ୍ଷା ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଆସିକା ଏନ୍‍ଏସି, ନଳବଣ୍ଟା, କାଳଷଣ୍ଢପୁର, ହରିଡାପଦର, ଖାରିଆ, ବାବନପୁର, ଭେଟନଇ, ବଡଖୋଲି, କେ.ନୁଆଁପଲ୍ଲୀ, ଗଙ୍ଗାପୁର, ବାଲିସିରା, ନିମିନା, କେନ୍ଦୁପଦର କ୍ଳଷ୍ଟରର ବିଭିନ୍ନ ଗ୍ରାମରେ ଥିବା ପ୍ରାୟ ୧୩୫ଟି ଶିକ୍ଷାନୁଷ୍ଠାନକୁ ଏହି ଶିକ୍ଷା ସଚେତନତା ରଥ ପରିକ୍ରମା କରିଥିବା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ସ୍ଥାନୀୟ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଏହି ଶିକ୍ଷା ସଚେତନତା ରଥକୁ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶୁଭାରମ୍ଭ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି, ସହକାରୀ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜୀବୀ, ଅଭିଭାବକ,. ଶିକ୍ଷାବିତ୍‍ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଅଭିମୁଖେ ଆସିବା ଲାଗି ଆକୃଷ୍ଟ କରିବା ସକାଶେ ଅଭିଭାବକ ଓ ବିଦ୍ୟାର୍ଥୀମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମକୁ ଶିକ୍ଷା ସଚେତନତା ରଥ ପରିକ୍ରମା କାର୍ଯ୍ୟକୁ ସୁପରିଚାଳନା କରିବା ଦିଗରେ ବରିଷ୍ଠ ଶିକ୍ଷକ ଶିବଶଙ୍କର ଜେନା, ସିଆର୍‍ସିସି ରାଧାମୋହନ ଡାକୁଆ, ହରିବନ୍ଧୁ ବେହେରା, ସୌଦାମିନୀ ହୋତା, ରଂଜିତା ପାତ୍ର, ଆସିକା ଶିକ୍ଷାବିଭାଗର କର୍ମଚାରୀ ଚିନ୍ମୟ ପ୍ରଧାନଙ୍କ ସମେତ ବହୁ ପଦାଧିକାରୀ ସକ୍ରିୟ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଥିଲା । ନୂତନ ଶିକ୍ଷାବର୍ଷରେ ଜାତୀୟ ଶିକ୍ଷାନୀତି-୨୦୨୦କୁ ସରକାରୀ ବିଦ୍ୟାଳୟ ଗୁଡିକରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା ବେଳେ ଏହି ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆସିକା ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡିଆ ଏବଂ ସଭିଏଁ ସ୍କୁଲ ଯିବା ନାରା ଦେଇ ଶିକ୍ଷା ସଚେତନତା ରଥ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ଅଞ୍ଚଳକୁ ଶନିବାର ପରିକ୍ରମାର ଶୁଭାରମ୍ଭ କରିଥିଲା ବେଳେ ଏହି ରଥକୁ ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ମିଳୁଥିବା ଦେଖିବାକୁ ମିଳିଛି । ଓଡିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୬ ଶିଶୁବାଟିକାର ଶୁଭାରମ୍ଭ ସାଙ୍ଗକୁ ଆସ ସ୍କୁଲ ଯିବା ୨.୦ ଅଭିଯାନ ଅନୁଯାୟୀ ଡ୍ରପ୍‍ଆଉଟି ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ