ଅଭିଭାବକଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କଲା ଶିକ୍ଷାବିଭାଗ

ଆସିକା (ୱାଇଏନ୍‍ଏସ୍‍) :ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା), ଜିଲ୍ଲା ଶିକ୍ଷାବିଭାଗ, ଜିଲ୍ଲା ସମଗ୍ର ଶିକ୍ଷାର ପରାମର୍ଶକ୍ରମେ ଆସନ୍ତା ଏପ୍ରିଲ ମାସ ୨ ତାରିଖରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ହରିଡାପଦର, ନିମିନା, କେନ୍ଦୁପଦର, ବାଲିସିରା, ଆସିକା ଏନ୍‍ଏସି, ଖାରିଆ, ବାବନପୁର, ଗଙ୍ଗାପୁର, କେ.ନୁଆଁପଲ୍ଲୀ, ବଡଖୋଲି, ଭେଟନଇ, ନଳବଣ୍ଟା, କାଳଷଣ୍ଢପୁର କ୍ଳଷ୍ଟର ଅଧିନସ୍ଥ ୧୩୫ଟି ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଶିଶୁବାଟିକା ଏବଂ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଏବଂ ଭଂଜ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ଏପ୍ରିଲ ମାସ ୨ ତାରିଖରେ ଆଗାମୀ ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ବିଦ୍ୟାଳୟସ୍ତରୀୟ ପ୍ରବେଶ ଉତ୍ସବ, ବାଲ୍‍ବାଟିକାରେ ନାମଲେଖା ଓ ଖଡିଛୁଆଁ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ୫ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଶିଶୁବାଟିକାରେ ଓ ୬ ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଅଭିଭାବକମାନଙ୍କ ପାଇଁ ଆସିକା ଶିକ୍ଷାବିଭାଗ ପକ୍ଷରୁ ନିମନ୍ତ୍ରଣ ପତ୍ର ବଣ୍ଟନର ଶୁଭାରମ୍ଭ କରାଯାଇଥିଲା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିଶିରକାନ୍ତ ବେହେରା, ଟୁଲୁ ସେଠୀ, ରାଧାମୋହନ ଡାକୁଆ, ସୌଦାମିନୀ ହୋତା, ଚିତ୍ରସେନ ସେଠୀଙ୍କ ସମେତ ବିଭିନ୍ନ କ୍ଲଷ୍ଟରର ସିଆର୍‍ସିସି ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକମାନେ ଘରକୁ ଘର ବୁଲି ଅଭିଭାବକମାନଙ୍କୁ ନିମନ୍ତ୍ରଣ କରିବା ସହ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ସଚେତନ କରୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ଶିକ୍ଷା ବିଭାଗ ପକ୍ଷରୁ ବାଲ୍‍ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ନେହଭରା ନିମନ୍ତ୍ରଣ ପତ୍ର ବଣ୍ଟନ କରାଯିବା ସହ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ଅଭିଭାବକମାନେ ଉପସ୍ଥିତ ରହି ଶିଶୁଙ୍କ ନାମ ଲେଖାଇବା ନିମନ୍ତେ ସହଯୋଗ କାମନା କରାଯାଉଥିବା ଜଣାପଡିଛି । ୫ ବର୍ଷରୁ ଉର୍ଦ୍ଧ୍ୱ କୁନି ବିଦ୍ୟାର୍ଥୀଙ୍କୁ ଶିଶୁବାଟିକା ଓ ୬ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ପ୍ରଥମ ଶ୍ରେଣୀରେ ଅନ୍ତର୍ଭୁକ୍ତ କରି ଏକ ଆନନ୍ଦମୟ, ଉତ୍ତମ, ଅନୁଭୁତିମୂଳକ ବିଦ୍ୟାଳୟ ପରିବେଶ ଯୋଗାଇବା ଲକ୍ଷ୍ୟରେ ଆସିକା ଶିକ୍ଷାବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ସଚେତନ ନାଗରିକ ଓ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇ ଜନଜାଗରଣ ସୃଷ୍ଟି କରାଯାଉଥିବା ଦେଖିବାକୁ ମିଳୁଛି । ବିକଶିତ ଓଡିଶା ଗଠନ ପାଇଁ ଶିକ୍ଷା ନିତାନ୍ତ ଆବଶ୍ୟକ ହୋଇଥିବାରୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ନୂତନ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଦେଶର ପ୍ରଥମ ରାଜ୍ୟ ଭାବରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଗତ ଶିକ୍ଷାବର୍ଷ ଠାରୁ ଶିଶୁବାଟିକା ଆରମ୍ଭ ହୋଇଥିବା ଜଣାପଡିଛି । ଆସିକା ଶିକ୍ଷାବିଭାଗ ପକ୍ଷରୁ ଆସନ୍ତା ଏପ୍ରିଲ ମାସ ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଖଡିଛୁଆଁ କାର୍ଯ୍ୟକ୍ରମ, ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ବାଲ୍‍ବାଟିକାରେ ନାମଲେଖା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ